Categories: ଜାତୀୟ

ଭାରତୀୟ ଛାତ୍ରୀଛାତ୍ରଙ୍କୁ ପାକିସ୍ତାନରେ ଡାକ୍ତରୀ ପାଠ ପଢ଼ିବାକୁ ମନାକଲା ଏନ୍‌ଏମ୍‌ସି

ନୂଆଦିଲ୍ଲୀ,୧।୫ : ପାକିସ୍ତାନର ମେଡିକାଲ କଲେଜଗୁଡ଼ିକରେ ନାମ ନ ଲେଖାଇବାକୁ ନ୍ୟାଶନାଲ ମେଡିକାଲ କମିଶନ(ଏନ୍‌ଏମ୍‌ସି) ଭାରତୀୟ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଛି। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଏବଂ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ(ଏଆଇସିଟିଇ) ମିଳିତ ଭାବେ ଏକ ଆଡଭାଇଜରି ଜାରି କରିଥିଲା। ଉକ୍ତ ଆଡଭାଇଜରି ଜରିଆରେ ଭାରତୀୟ ଛାତ୍ରୀଛାତ୍ରଙ୍କୁ ପାକିସ୍ତାନ ଶିକ୍ଷାନୁଷ୍ଠାନରେ ନ ପଢ଼ିବା ପାଇଁ ପୂର୍ବରୁ ପରାମର୍ଶ ଦିଆଯାଇଥିଲା। ପାକିସ୍ତାନରେ ପଢ଼ିଲେ ସେମାନଙ୍କୁ ଭାରତରେ ନିଯୁକ୍ତି କିମ୍ବା ଉଚ୍ଚଶିକ୍ଷା ଲାଗି ସୁଯୋଗ ମିଳିବ ନାହିଁ ବୋଲି ସତର୍କ କରିଦିଆଯାଇଥିଲା। ବର୍ତ୍ତମାନ ଏନ୍‌ଏମ୍‌ସି ଏକ ବିଜ୍ଞପ୍ତି ଜାରି କରି ଡାକ୍ତରୀ ପଢ଼ିବାକୁ ଚାହୁଁଥିବା ପିଲାମାନଙ୍କୁ ଅନୁରୂପ ଚେତାବନୀ ଦେଇଛି। ଭାରତୀୟ କିମ୍ବା ବିଦେଶରେ ରହୁଥିବା ଭାରତର ନାଗରିକ ଯଦି ପାକିସ୍ତାନର କୌଣସି ମେଡିକାଲ କଲେଜରେ ଏମ୍‌ବିବିଏସ୍‌/ବିଡିଏସ୍‌ କିମ୍ବା ତତୁଲ୍ୟ ପାଠ୍ୟକ୍ରମରେ ନାମଲେଖାନ୍ତି, ତେବେ ସେମାନେ ଭାରତରେ ଏଫ୍‌ଏମ୍‌ଜିଇ (ଫରେନ୍‌ ମେଡିକାଲ ଗ୍ରାଜୁଏଟ୍‌ ଏକ୍ସାମିନେଶନ) ଦେବାକୁ ଯୋଗ୍ୟ ବିବେଚିତ ହେବେ ନାହିଁ କିମ୍ବା ଶିକ୍ଷାଗତ ଯୋଗ୍ୟତା ଆଧାରରେ ଦେଶରେ ନିଯୁକ୍ତି ପାଇଁ ଆବେଦନ କରିପାରିବେ ନାହିଁ। ତେବେ ୨୦୧୮ ଡିସେମ୍ବର ପୂର୍ବରୁ କିମ୍ବା ବର୍ତ୍ତମାନ ସୁଦ୍ଧା ସ୍ବରାଷ୍ଟ୍ର ମନ୍ତ୍ରଣାଳୟଠାରୁ ସୁରକ୍ଷା ମଞ୍ଜୁରୀ ନେଇ ପାକିସ୍ତାନୀ ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ପିଲାଙ୍କୁ ଏଥିରୁ ବାଦ୍‌ ଦିଆଯାଇଛି।

Share