Categories: ରାଜ୍ୟ

ଭର୍ଚୁଆଲ ଟୁର୍‌ରେ ନିୟମଗିରିର ଡଙ୍ଗରିଆ କନ୍ଧ

ଭୁବନେଶ୍ୱର, ୧୧।୭ (ବ୍ୟୁରୋ): ଓଡ଼ିଶାର ଜନଜାତିଙ୍କ ମଧ୍ୟରେ ଡଙ୍ଗରିଆ କନ୍ଧ ହେଉଛନ୍ତି ଅନ୍ୟତମ। ଏମାନେ ସାଧାରଣତଃ ରାୟଗଡ଼ାର ପୂର୍ବଘାଟ ଅଞ୍ଚଳରେ ବସବାସ କରନ୍ତି। ସୂଚୀଶିଳ୍ପ, କାଠଖୋଦେଇ, ଚିତ୍ର ଅଙ୍କନ, ପାନିଆ ତିଆରି ହେଉଛି ଏମାନଙ୍କ ମୁଖ୍ୟ ପେସା।   ବୃହତ୍‌ କନ୍ଧ ଜନଜାତିଙ୍କର ଏକ ଅଂଶ ବିଶେଷ ହେଉଛନ୍ତି ନିୟମଗିରିର ଡଙ୍ଗରିଆ କନ୍ଧ। ଏମାନେ ପୋଡ଼ୁଚାଷ କରୁଥିବାବେଳେ ଉଦ୍ୟାନକୃଷିରେ ମଧ୍ୟ ଦକ୍ଷ। ହଳଦୀ, ସପୁରି ଓ କଦଳୀ ଚାଷ ନିମନ୍ତେ ଡଙ୍ଗରିଆ କନ୍ଧ ଜନଜାତି ପ୍ରସିଦ୍ଧି ଲାଭ କରିଛନ୍ତି। ଝରଣା କୂଳରେ ରହୁଥିବାରୁ ସେମାନେ ନିଜକୁ ‘ଝରଣିଆ’ ବୋଲି ମଧ୍ୟ କହିଥାନ୍ତି।

ନିୟମଗିରି ପର୍ବତର କିମ୍ବଦନ୍ତୀ ନିୟମରାଜାଙ୍କ ବଂଶଧର ଭାବେ ଡଙ୍ଗରିଆ କନ୍ଧମାନେ ନିଜକୁ ଅଭିହିତ କରିଥାନ୍ତି। ଦ୍ରାବିଡ଼ ଭାଷା ‘କୁଭି’ ହେଉଛି ଏମାନଙ୍କର କଥିତ ଭାଷା । ଧରିତ୍ରୀ ଦେବୀ ବା ଧରଣୀ ପେନୁ ହେଉଛନ୍ତି ଏମାନଙ୍କର ଆରାଧ୍ୟ ଦେବୀ। ଗାଁ ରାସ୍ତାର ମଧ୍ୟଭାଗରେ ପୂଜା ପାଉଥିବା ଧରଣୀ ପେନୁଙ୍କୁ ପ୍ରସନ୍ନ କରିବା ପାଇଁ ଡଙ୍ଗରିଆ କନ୍ଧମାନେ ମେରିଆ ବା କେଡ଼ୁ ଉତ୍ସବ ପାଳନ କରିଥାନ୍ତି। ଏହି ସମ୍ପ୍ରଦାୟର ପୁରୁଷ ଓ ମହିଳା ଲମ୍ବା କେଶ ରଖିଥାନ୍ତି। କାନ ଓ ନାକକୁ ଆଭୂଷଣରେ ସଜାଇଥାନ୍ତି। ସୂଚୀଶିଳ୍ପରେ ରଙ୍ଗୀନ ଶାଲ୍‌ ସିଲେଇ କରନ୍ତି। ଏହାକୁ ‘କପଡ଼ା ଗଣ୍ଡା’ କୁହାଯାଏ । ନିୟମଗିରିର ଏହି ଡଙ୍ଗରିଆ କନ୍ଧଙ୍କ ସାମାଜିକ ଚଳଣୀ, ପରମ୍ପରା ଓ ଜୀବିକା ସମ୍ପର୍କରେ ଅଧିକ ଜାଣିବାକୁ ଦର୍ଶକମାନେ ରବିବାର ଫେସ୍‌ବୁକ୍‌ ଓ ଟୁଇଟର ପେଜ୍‌ @stscdev, scstrti ଖୋଲି ସେମାନଙ୍କ ବିଷୟରେ ଜାଣି ପାରିବେ।

କରୋନା ପାଇଁ ରାଜ୍ୟ ଜନଜାତି ସଂଗ୍ରହାଳୟ ଦର୍ଶକଙ୍କ ନିମନ୍ତେ ବନ୍ଦ ରହିଛି। ତେଣୁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଜନଜାତି ସଂଗ୍ରହାଳୟକୁ ପ୍ରତି ରବିବାର ଭର୍ଚୁଆଲ୍‌ ଟୁର୍‌ର ବ୍ୟବସ୍ଥା କରାଯାଉଛି ବୋଲି ଏସ୍‌ସିଏସ୍‌ଟିଆର୍‌ଟିଆଇ ନିର୍ଦ୍ଦେଶକ ପ୍ରଫେସର ଡ.ଅଖିଳ ବିହାରୀ ଓତା ସୂଚନା ଦେଇଛନ୍ତି।