Categories: ଜାତୀୟ

ନୀତିଶଙ୍କ ରଣନୀତି: ୬ ଜଣିଆ ଦଳ ଉପରେ ଦାୟିତ୍ୱ

ପାଟନା, ୨୮।୯: ଆଗକୁ ବିହାରରେ ବିଧାନସଭା ନିର୍ବାଚନ। ଏହାକୁ ଦୃଷ୍ଟିରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିର୍ବାଚନ ସ୍ବତନ୍ତ୍ର ରଣନୀତି ଆପଣେଇବା ସହିତ ଏହାର ଦାୟିତ୍ୱ ୬ ଜଣିଆ ଦଳ ଉପରେ ନ୍ୟସ୍ତ କରିଛନ୍ତି। ସେମାନଙ୍କ ମଧ୍ୟରେ ଗୃହନିର୍ମାଣ ମନ୍ତ୍ରୀ ଅଶୋକ ଚୌଧୁରୀଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିଛି। ତାଙ୍କୁ ଜେଡିୟୁ କାର୍ଯ୍ୟକାରୀ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି। ମନ୍ତ୍ରୀ ଭାବେ ନିଜ କାର୍ଯ୍ୟ ତୁଲାଇବା ସହିତ ସେ ସାଂଗଠିନକ କ୍ଷେତ୍ରକୁ ସୁଦୃଢ଼ କରିବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି। ସେହିପରି ସଞ୍ଜୟ ଝାଙ୍କୁ ନିର୍ବାଚନ ପ୍ରଚାର ପରିଚାଳନା ଦାୟିତ୍ୱ ନୀତିଶ ଦେଇଛନ୍ତି। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ ସମୟରେ ନୀତିଶ ସଞ୍ଜୟଙ୍କ ସହାୟତା ଲୋଡ଼ିଥାନ୍ତି। ଏହି ଦଳରେ ମୁଙ୍ଗେର ଏମ୍‌ପି ଲଲନ ସିଂଙ୍କୁ ସାମିଲ୍‌ କରାଯାଇଛି। ଲଲନଙ୍କ ରାଜନୈତିକ ରଣନୀତି ବେଶ୍‌ ଉଚ୍ଚକୋଟିର ବୋଲି କୁହାଯାଉଛି। ରାଜ୍ୟ ସଭା ଏମ୍‌ପି ଆର୍‌.ସି.ପି. ସିଂଙ୍କୁ ଏହି ଦଳରେ ସ୍ଥାନ ମିଳିଛି। ବିହାରରେ ଜେଡ଼ିୟୁକୁ ସଶକ୍ତ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ପ୍ରାର୍ଥୀ ଚୟନରେ ତାଙ୍କର ବିଶେଷ ଭୂମିକା ରହିବ ବୋଲି କୁହାଯାଉଛି। ବିହାର ବିଧାନସଭା ବାଚସ୍ପତି ବିଜୟ ଚୌଧୁରୀଙ୍କୁ ନୀତିଶଙ୍କ ନିର୍ବାଚନୀ ଦଳରେ ଅନ୍ତର୍ଭୁକ୍ତ କରାଯାଇଛି। ସେ ନୀତିଶଙ୍କୁ ଉପଯୁକ୍ତ ପରାମର୍ଶ ଦେବା ସହିତ ପରଦା ପଛରେ ନାୟକର ଦାୟିତ୍ୱ ତୁଲାଇବେ ବୋଲି କୁହାଯାଉଛି। ସେହିପରି ଏହି ୬ ଜଣିଆ ଦଳରେ ଜେଡ଼ିୟୁ ଅଧ୍ୟକ୍ଷ ବଶିଷ୍ଠ ନାରାୟଣ ସିଂଙ୍କୁ ସାମିଲ୍‌ କରାଯାଇଛି। ଅଧିକ ବୟସ ଦୃଷ୍ଟିରୁ ବଶିଷ୍ଠଙ୍କ ଉପରେ ବିଶେଷ ଭାର ଦିଆଯାଇ ନାହିଁ। ତାଙ୍କର ପରାମର୍ଶ ଏବଂ ରାଜନୈତିକ ଗୋଟି ଚାଳନାକୁ ଗୁରୁତ୍ୱ ଦିଆଯିବାର ସମ୍ଭାବନା ରହିଛି।

Share