Categories: ଜାତୀୟ

ନୀତୀଶଙ୍କ ‘ବେଗୁସରାଇ’ ମୁଣ୍ଡବ୍ୟଥା

ପାଟନା,୧୬।୯:ବେଗୁସରାଇ ଗୁଳିକାଣ୍ଡ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମୁଣ୍ଡବ୍ୟଥା ବଢ଼ାଇ ଦେଇଛି। ମଙ୍ଗଳବାର ସନ୍ଧ୍ୟାରେ ବେଗୁସରାଇରେ ଘଟିଥିବା ଏହି ଘଟଣାରେ ଜଣେ ୩୦ ବର୍ଷୀୟ ଯୁବକ ନିହତ ହୋଇଥିବାବେଳେ ଅନ୍ୟ ୧୧ ଆହତ ହୋଇଛନ୍ତି। ଦୁର୍ବୃତ୍ତମାନେ ବାଇକରେ ଆସି ଜିଲାର ୧୦ଟି ସ୍ଥାନରେ ଆଖିବୁଜା ଗୁଳି ଚଳାଇ ଆତଙ୍କ ଖେଳାଇ ଦେଇଥିଲେ। ଏହି ଘଟଣା ପାଇଁ ବିରୋଧୀ ଦଳ ଭାଜପା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଦାୟୀ କରିଛି। ମହାଗଠବନ୍ଧନ ସରକାର ଯୋଗୁ ବିହାରରେ ଜଙ୍ଗଲରାଜ ଫେରିଥିବା ଭାଜପା କହିଛି। କର୍ତ୍ତବ୍ୟରେ ଅବହେଳା ପାଇଁ ବୁଧବାର ବେଗୁସରାଇର ୭ ପୋଲିସ ଅଫିସରଙ୍କୁ ନିଲମ୍ବନ କରାଯାଇଛି। ସନ୍ଦିଗ୍ଧଙ୍କ ସମ୍ପର୍କରେ ସୂଚନା ଦେଲେ ୫୦ ହଜାର ଟଙ୍କା ପୁରସ୍କାର ମିଳିବ ବୋଲି ଘୋଷଣା କରାଯାଇଛି। ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଆଇନ ଶୃଙ୍ଖଳା ରକ୍ଷା ପାଇଁ ସେଠାକୁ ୩ କମ୍ପାନୀ ବିହାର ସ୍ବତନ୍ତ୍ର ସହାୟକ ପୋଲିସ (ବିଏସ୍‌ଏପି), ବିହାର ସ୍ବତନ୍ତ୍ର ଟାସ୍କଫୋର୍ସର ଗୋଟିଏ ୟୁନିଟକୁ ପଠାଯାଇଛି। ଗୁଳିକାଣ୍ଡ ଘଟଣାର ସବୁ ଦିଗରୁ ତଦନ୍ତ କରିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା କହିଛନ୍ତି। ଏହି ଘଟଣା ପଛରେ ଷଡ଼ଯନ୍ତ୍ର ରହିଥିବା ନୀତୀଶ ଅଭିଯୋଗ କରିଛନ୍ତି। କାରଣ ପଛୁଆ ବର୍ଗ ଏବଂ ମୁସଲମାନ ସମ୍ପ୍ରଦାୟଙ୍କୁ ଟାର୍ଗେଟ କରି ଗୁଳି କରାଯାଇଥିଲା। ମହାଗଠବନ୍ଧନ ସରକାର ଆସିବା ପରେ ଆଇନ ଶୃଙ୍ଖଳା ସ୍ଥିତି ବିଗୁଡ଼ୁଥିବା ବେଗୁସରାଇ ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଅଭିଯୋଗ କରିଥିଲେ। ୨ ବନ୍ଧୁକଧାରୀ ଦୋକାନକୁ ଟାର୍ଗେଟ କରି ମଲିପୁର ଚୌକରେ ଗୁଳି ଚଳାଇବା ପରେ ବାରାଉଣୀ ଥର୍ମାଲ ଚୌକ, ଟେଘ୍ରା, ବଚଓ୍ବାରା ଏବଂ ରାଜେନ୍ଦ୍ର ବ୍ରିଜ୍‌ରେ ଲୋକଙ୍କ ଉପରକୁ ଗୁଳିମାଡ଼ କରିଥିଲେ।

Share