Categories: ଜାତୀୟ

ବୁଧବାର ଅପରାହ୍ନ ୨ଟାରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ନୀତୀଶ ନେବେ ଶପଥ…

ପାଟନା, ୯।୮ : ମହାମେଣ୍ଟର ନେତା ଭାବେ ନିର୍ବାଚିତ ହୋଇଥିବା ଜେଡ଼ିୟୁ ନେତା ନୀତୀଶ କୁମାର ବୁଧବାର ଅପରାହ୍ନ ୨ଟାରେ ବିହାରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ନୀତୀଶଙ୍କୁ ୧୬୪ ବିଧାୟକ ସମର୍ଥନ କରୁଥିବାନେଇ ସେ ଦାବି ଉପସ୍ଥାପନ କରିଛନ୍ତି। ରାଜ୍ୟରେ ଗଠନ ହେବାକୁ ଥିବା ନୂଆ ସରକାରରେ ଆରଜେଡ଼ି ନେତା ତେଜସ୍ବୀ ଯାଦବ ଉପମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ଶପଥ ନେବାର କାର୍ଯ୍ୟକ୍ରମ ରହିଛି।

ନୀତୀଶ ଉପସ୍ଥାପନ କରିଥିବା ବିଧାୟକଙ୍କ ତାଲିକାରେ ୭ଟି ଦଳର ବିଧାୟକଙ୍କ ନାମ ରହିଛି। ଏଥିରେ ବାମଦଳ ଏବଂ ଜିତନ ରାମ ମାଂଝିଙ୍କ ଦଳ ମଧ୍ୟ ରହିଛି ବୋଲି ନୀତୀଶ ସୂଚନା ପ୍ରଦାନ କରିଛନ୍ତି।

ଏହି ଅବସରରେ ଆରଜେଡି ନେତା ତେଜସ୍ବୀ ଯାଦବ କହିଛନ୍ତି ଯେ, ଭାଜପା ଯେଉଁ ସଦଳ ସହିତ ମେଣ୍ଟ କରିବ ସେହି ଦଳକୁ ମଧ୍ୟ ନଷ୍ଟ କରିଦେବ। ମହାରାଷ୍ଟ୍ର ଏବଂ ପଞ୍ଜାବରେ ଯାହା ହୋଇଛି ତାହା ସାରା ଦେଶ ଦେଖିଛି।

ବିହାରରେ ଯାହାବି ହେଉଛି ତାହା କାହାକୁ ଅଛପା ନାହିଁ। ଜନସାଧାରଣ ବିକଳ୍ପ ଚାହୁଁଛନ୍ତି। ବିହାରକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ କରାଗଲା ନାହିଁ। ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ତାଙ୍କ ଦାବି ଉପସ୍ଥାପନ କଲେ ମଧ୍ୟ ତାହାକୁ ଗ୍ରହଣ କରାଯାଇ ନାହିଁ। ଏବେ ରାଜ୍ୟରେ ଭାଜପାକୁ ଛାଡି ଅନ୍ୟ ସମସ୍ତ ଦଳ ନୀତୀଶଙ୍କୁ ନେତା ଭାବେ ସ୍ବୀକାର କରିଛନ୍ତି ବୋଲି ତେଜସ୍ବୀ କହିଛନ୍ତି।

ନୀତୀଶ ଦେଶର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ କି ପ୍ରଶ୍ନର ଉତ୍ତରରେ ତେଜସ୍ବୀ କହିଛନ୍ତି ଯେ, ନୀତୀଶ ଜଣେ ଅନୁଭବୀ ରାଜନେତା। ଆମକୁ ଦେଶର ସମ୍ବିଧାନକୁ ବଞ୍ଚାଇବାକୁ ପଡ଼ିବ। ଦେଶର ସ୍ଥିତିକୁ ସଙ୍କଟ ଜନକ କରାଯାଉଛି। ନୀତୀଶ କୁମାର ନ ଡରି ନିଷ୍ପତ୍ତି ନେଇଛନ୍ତି। ଭାଜପାର ଏଜେଣ୍ଡାକୁ ରାଜ୍ୟରେ ଲାଗୁ ହେବାକୁ ଦେଇ ନାହାନ୍ତି। ନୀତୀଶ ନିଜ ଫାଇଦା ପାଇଁ ନୁହେଁ ବିହାରର ଜନସାଧାରଣଙ୍କ ଲାଗି ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ତେଜସ୍ବୀ କହିଛନ୍ତିି।

Share