Categories: ଜାତୀୟ

ମୋଦିଙ୍କୁ ଛାଡ଼ିଲେ ନୀତୀଶ

ପାଟନା/ନୂଆଦିଲ୍ଲୀ,୧୦ା୮(ପି.ଟି./ଆଇଏଏନ୍‌ଏସ୍‌): କିଛି ମାସ ତଳୁ ଯାହା ଆକଳନ କରାଯାଉଥିଲା, ଏବେ ତାହା ସତ ପ୍ରମାଣିତ ହୋଇଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତ ଛାଡ଼ିଦେଇଛନ୍ତି। ସେ ଭାଜପା ସହ ସମ୍ପର୍କ ଛିନ୍ନ କରି ପୁରୁଣା ସାଥୀ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ସମର୍ଥନରେ ପୁଣି ଥରେ ସରକାର ଗଢ଼ିବାକୁ ଯାଉଛନ୍ତି। କ୍ଷମତାସୀନ ସଂଯୁକ୍ତ ଜନତା ଦଳ (ଜେଡିୟୁ)କୁ ଦୁର୍ବଳ କରିବା ପାଇଁ ଭାଜପା ଉଦ୍ୟମ ଚଳାଇଥିଲା ଏବଂ ତାଙ୍କୁ ବାରମ୍ବାର ଅପମାନିତ କରିଥିଲା। ଏଥିଯୋଗୁ ଜେଡିୟୁ ନେତାମାନେ ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ସେମାନଙ୍କ ପରାମର୍ଶକ୍ରମେ ଏନ୍‌ଡିଏରୁ ଓହରିଯାଇଥିବା ନେଇ ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ ପରେ ଗଣମାଧ୍ୟମକୁ ନୀତୀଶ କହିଛନ୍ତି। ନୀତୀଶ ମଙ୍ଗଳବାର ମହାମେଣ୍ଟର ନେତା ନିର୍ବାଚିତ ହେବା ପରେ ରାଜ୍ୟପାଳ ଫାଗୁ ଚୌହାନଙ୍କୁ ଭେଟି ୧୬୪ ବିଧାୟକଙ୍କ ସମର୍ଥନପତ୍ର ପ୍ରଦାନ କରିଛନ୍ତି। ଏଥିସହ ନୂଆ ସରକାର ଗଠନ ପାଇଁ ଦାବି ଜଣାଇଛନ୍ତି। ୨୦୧୭ରେ ମହାମେଣ୍ଟ ଛାଡ଼ି ଏନ୍‌ଡିଏରେ ସାମିଲ ହୋଇଥିବା ନୀତୀଶଙ୍କ ସଦ୍ୟ ପଦକ୍ଷେପ ଏହାର ଠିକ୍‌ ଓଲଟା ହୋଇଛି। ୨୦୨୪ ସାଧାରଣ ନିର୍ବାଚନରେ ନୀତୀଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିଦ୍ୱନ୍ଦ୍ୱୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଥିବାବେଳେ ଏହି ଘଟଣାକ୍ରମ ଏପରି ସମ୍ଭାବନାକୁ ବଳ ଦେଇଛି। ଆର୍‌ଜେଡି ସହ ଜେଡିୟୁର ଅନୌପଚାରିକ ଚୁକ୍ତି ଅନୁସାରେ ନୀତୀଶ ଏବେ ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦରେ ରହିବେ ଓ ତେଜସ୍ବୀ ଯାଦବ ଉପମୁଖ୍ୟମନ୍ତ୍ରୀ ହେବେ। ନୀତୀଶଙ୍କ ସମେତ ନୂଆ କ୍ୟାବିନେଟ ସଦସ୍ୟମାନେ ବୁଧବାର ଅପରାହ୍ନ ୨ଟାରେ ଶପଥ ନେବେ। ୮-୧୦ ମାସ ପରେ ସେ ତେଜସ୍ବୀଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇ ନିଜେ ଜାତୀୟ ରାଜନୀତିରେ ବଡ଼ ଭୂମିକା ତୁଲାଇବେ। ଏପରି ହେଲେ ୨୦୨୪ ଲୋକ ସଭା ନିର୍ବାଚନ ମୋଦି ବନାମ ନୀତୀଶ ହୋଇପାରେ।

Share