Categories: ଜାତୀୟ

‘୨୦୨୪ ନିର୍ବାଚନରେ ନୀତୀଶ କୁମାର ହେବେ ମଜଭୁତ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ’

ପାଟନା,୨୧।୮:ବିହାର ଉପମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ବୀ ଯାଦବ ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ହେବା ନେଇ ନିଜ ମତ ରଖିଛନ୍ତି। ଯଦି ୨୦୨୪ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ସମ୍ପର୍କରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନାଁକୁ ନେଇ ବିରୋଧୀ ରାଜି ହୁଅନ୍ତି, ତେବେ ସେ ଜଣେ ମଜଭୁତ ପ୍ରାର୍ଥୀ ଭାବେ ଉଭା ହେବେ ବୋଲି ସେ କହିଛନ୍ତି।
ନିକଟରେ ଭାରତୀୟ ଜନତା ପାର୍ଟି (ଭାଜପା) ହାତ ଛାଡି ଦ୍ୱିତୀୟ ଥର ପାଇଁ ଆରଜେଡି ନେତୃତ୍ୱାଧୀନ ମହାଗଠବନ୍ଧନରେ ଯୋଗ ଦେଇଥିବା ନୀତୀଶ କୁମାରଙ୍କ ବିଷୟରେ ତେଜସ୍ବୀ କହିଛନ୍ତି, ନୀତୀଶଙ୍କୁ ତୃଣମୂଳ ସ୍ତରରେ ବହୁତ ସମର୍ଥନ ରହିଛି। ଜେଡିୟୁ, ଆରଜେଡି, କଂଗ୍ରେସ ଏବଂ ଅନ୍ୟାନ୍ୟ ଦଳ ଏକାଠି ହେବା ପରେ ମହାଗଠବନ୍ଧନ ପୁଣି ବିହାରରେ କ୍ଷମତାକୁ ଆସିବା ଏକ ଶୁଭ ସଙ୍କେତ।
ଯଦି ଆମେ ବର୍ତ୍ତମାନ ଗଣତନ୍ତ୍ରକୁ ଧ୍ୱଂସରୁ ରକ୍ଷା କରିପାରିବା ନାହିଁ, ତେବେ ଏହାକୁ ପୁନଃସ୍ଥାପନ କରିବା ଅତ୍ୟନ୍ତ କଷ୍ଟକର ହେବ। ୨୦୨୪ ନିର୍ବାଚନ ପାଇଁ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ କି ପ୍ରଶ୍ନରେ ତେଜସ୍ବୀ କହିଛନ୍ତି, ମୁଁ ଏହି ପ୍ରଶ୍ନକୁ ନୀତୀଶ ଜୀଙ୍କ ଉପରେ ଛାଡିଛି। ଯଦି ବିଚାର କରାଯାଏ, ନୀତୀଶ ଜୀ ନିଶ୍ଚିତ ଭାବରେ ଜଣେ ମଜଭୁତ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇପାରିବେ। ଗତ ୫୦ ବର୍ଷ ଧରି ସେ (ନୀତୀଶ) ଜଣେ ସାମାଜିକ ତଥା ରାଜନୈତିକ କାର୍ଯ୍ୟକର୍ତ୍ତା ରହିଆସିଛନ୍ତି। ସେ ଜେପି (ଜୟପ୍ରକାଶ) ଆନ୍ଦୋଳନରେ ଭାଗ ନେଇଥିଲେ।
ସୂଚନାଯୋଗ୍ୟ, ଜେଡିୟୁ ଭାଜପା ସହ ସମ୍ପର୍କ ଭାଙ୍ଗିବା ପରେ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର ଧରିଛି।

Share