Categories: ଜାତୀୟ

ସାତ ନମ୍ବର ସହ କ’ଣ ରହିଛି ନୀତୀଶଙ୍କର ସମ୍ପର୍କ

ପାଟନା,୧୨ ।୧୧: ବିହାରରେ ପୁଣିଥରେ ଏନ୍‌ଡିଏ ସରକାର ଗଢିବାକୁ ଯାଉଛି । ଆଉ ସୁଶାସନ ବାବୁ ଭାବେ ପରିଚିତ ନୀତିଶ କୁମାର ଏଥର ବି ଶାସନ ଡୋରି ହାତରେ ରଖିବେ ବୋଲି ଜଣାପଡିଛି । ମହାମେଣ୍ଟକୁ ହରାଇବା ପରେ ଭାରତୀୟ ଜନତା ପାର୍ଟି(ଭାଜପା) ଯଦିଓ ସବୁଠାରୁ ବଡ ଦଳ ଭାବେ ଉଭା ହୋଇଛି ନୀତୀଶ କିନ୍ତୁ ମୁଖ୍ୟମନ୍ତ୍ରୀ ଆସନରେ ବସିବା ଧାର୍ଯ୍ୟ କରାଯାଇଛି । ଏଥରକୁ ମିଶାଇଲେ ନୀତୀଶ ୭ ଥର ଲାଗି ବିହାରର ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଯାଉଛନ୍ତି । ଯଦି ନମ୍ବରକୁ ଦେଖିବା ତେବେ ସାତ ନମ୍ବର ନୀତୀଶଙ୍କ ପାଇଁ ଭାଗ୍ୟଶାଳୀ ବୋଲି କୁହାଯାଉଛି । ନିର୍ବାଚନ ହେଉ କି ଏହାର ଫଳଫଳ ସବୁସହ ରହିଛି ୭ ଅଙ୍କର ସମ୍ପର୍କ । ନୀତୀଶ କୁମାର ଏବେ ୭୦ ବର୍ଷ ଅତିକ୍ରମ କରିଛିନ୍ତି । ଏହାସହ ସେ ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ନିର୍ବାଚନ ଫଳାଫଳର ତାରିଖ ୧୦-୧୧-୨୦୨୦ ହୋଇଥିିବା ବେଳେ ଏହାକୁ ମିଶାଇଲେ ଏହା ଗୋଟିଏ ଦୃଷ୍ଟିରୁ ୭ ହେଉଛି । ଜନତା ଦଳ ୟୁନାଇଟେଡ(ଜେଡିୟୁ) ବା ନୀତୀଶଙ୍କ ଦଳ ଏଥର ୪୩ ଆସନରେ ବିଜୟୀ ହୋଇଛି । ୪ରେ ୩ ମିଶିଲେ ବି ୭ ହେଉଛି । ସେପଟେ ଶପଥ ଗ୍ରହଣ ତାରିଖ ନୀତୀଶ ୧୬ ରଖିଛନ୍ତି । ଆଉ ୧ରେ ୬ ମିଶାଇଲେ ବି ୭ ହେଉଛି । ଏସବୁକୁ ଦେଖି ଏବେ ଆଲୋଚନା ହେଉଛି କି ନୀତୀଶଙ୍କ ପାଇଁ ୭ ହେଉଛି ଲକି ନମ୍ବର ।

Share