Categories: ଜାତୀୟ

କୁଳପତି ନିଯୁକ୍ତି ଲାଗି ନିଜସ୍ବ ବିଜ୍ଞାପନ ଦେଲେ ନୀତୀଶ ସରକାର

ପାଟନା,୨୪ା୮ : ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ କୁଳପତି ନିଯୁକ୍ତି ଲାଗି ବିହାର ସରକାର ପ୍ରଥମ ଥର ପାଇଁ ନିଜସ୍ବ ବିଜ୍ଞାପନ ପ୍ରକାଶ କରିଛନ୍ତି। ପୂର୍ବରୁ କୁଳପତିମାନଙ୍କ ନିଯୁକ୍ତି ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟ କୁଳାଧିପତିଙ୍କ କାର୍ଯ୍ୟାଳୟ ଦ୍ୱାରା ହେଉଥିଲା। ରାଜ୍ୟର ୭ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତି ଲାଗି ଆଶାୟୀ ପ୍ରାର୍ଥୀମାନଙ୍କଠାରୁ ରାଜ୍ୟ ସରକାର ଦରଖାସ୍ତ ଆହ୍ବାନ କରିଛନ୍ତି। ପ୍ରାର୍ଥୀମାନେ ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ ଉଭୟ ଅନ୍‌ଲାଇନ ଏବଂ ଅଫ୍‌ଲାଇନରେ ଆବେଦନ କରିପାରିବେ।

ସରକାରଙ୍କ ଦ୍ୱାରା ଗଠିତ ସର୍ଚ୍ଚ କମିଟି ଜରିଆରେ କୁଳପତିମାନଙ୍କୁ ନିଯୁକ୍ତି ଦିଆଯିବ। ଏଥିପାଇଁ ପ୍ରାର୍ଥୀଙ୍କ ବୟସ ୬୭ ବର୍ଷରୁ କମ୍‌ ହୋଇଥିବ ଏବଂ ଅନୂ୍ୟନ ୧୦ ବର୍ଷର ଶିକ୍ଷାଦାନ ଅଭିଜ୍ଞତା ରହିଥିବ। ପୂର୍ବରୁ କୁଳାଧିପତିଙ୍କ କାର୍ଯ୍ୟାଳୟ ଅଗଷ୍ଟ ୨୪ରୁ ୨୭ ମଧ୍ୟରେ ଖାଲିଥିବା କୁଳପତି ପଦବୀ ପାଇଁ ଆବେଦନ କରିବାକୁ ବିଜ୍ଞାପନ ଦେଇଥିଲା। ପରେ ରାଜ୍ୟ ସରକାର ବିଜ୍ଞାପନ ଦେଇଥିବାରୁ ରାଜଭବନ ଏବଂ ନୀତୀଶ କୁମାର ସରକାରଙ୍କ ମଧ୍ୟରେ ବିବାଦ ଲାଗିରହିଥବା ସ୍ପଷ୍ଟ ହୋଇଛି ବୋଲି ମଗଧ ୟୁନିଭର୍ସିଟିର ଜଣେ ବରିଷ୍ଠ ପ୍ରଫେସର କହିଛନ୍ତି।

 

Share