Categories: ଜାତୀୟ

ଆରଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ନୀତୀଶ

ପାଟନା,୧।୧୧: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସହଯୋଗୀ ଆରଜେଡି ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ମୋକାମା ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟରଙ୍କୁ ଆରଜେଡି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବାକୁ ସେ ନିବେଦନ କରିଛନ୍ତି। ସେ ଏକ ଭିଡିଓ ଜରିଆରେ ମୋକାମା ବିଧାନସଭା ନିର୍ବାଚନମଣ୍ଡଳୀବାସୀଙ୍କୁ କହିଥିଲେ ଯେ, ସେ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ସହ ମୋକାମା ଆସିଥାନ୍ତେ, କିନ୍ତୁ ସ୍ବାସ୍ଥ୍ୟଗତ କାରଣରୁ ସେ ତାହା କରିପାରି ନ ଥିଲେ। ଦେଢ ଼ ମିନିଟର ଏହି ଭିଡିଓରେ ସେ ମୋକାମା ଅଞ୍ଚଳର ଲୋକଙ୍କ ସହ ତାଙ୍କର ପୁରୁଣା ସଙ୍ଗଠନକୁ ମଧ୍ୟ ମନେ ପକାଇଥିଲେ। ନଭେମ୍ବର ୩ରେ ମୋକାମା ଏବଂ ଗୋପାଳଗଞ୍ଜ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ। ଆରଜେଡି ବିଧାୟକ ଭାବରେ ଅନନ୍ତ ସିଂ ଅଯୋଗ୍ୟ ଘୋଷଣା ପରେ ମୋକାମାରେ ଉପନିର୍ବାଚନ ଆବଶ୍ୟକ ଥିଲା। ତାଙ୍କ ସ୍ତ୍ରୀ ଏହି ଆସନରେ ଲଢୁଛନ୍ତି। ସେହିପରି ଭାଜପା ବିଧାୟକ ସୁଭାଷ ସିଂଙ୍କ ମୃତ୍ୟୁ ପରେ ଗୋପାଳଗଞ୍ଜ ଆସନ ଖାଲି ପଡିଛି।
ସୂଚନାଯୋଗ୍ୟ, ଅନନ୍ତ ସିଂଙ୍କ ବାସଭବନରୁ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରିବା ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଯାହା ପରେ ସେ ଚଳିତ ବର୍ଷ ପ୍ରାରମ୍ଭରେ ବିଧାନସଭା ସଦସ୍ୟ ଭାବରେ ଅଯୋଗ୍ୟ ହୋଇଥିଲେ। ଏହି ଉପନିର୍ବାଚନରେ ଆରଜେଡି ତାଙ୍କ ସ୍ତ୍ରୀ ନୀଲମ ଦେବୀଙ୍କୁ ପ୍ରାର୍ଥୀ କରିଛି। ଏଥି ସହିତ ୨୭ ବର୍ଷ ବ୍ୟବଧାନ ପରେ ଭାଜପା ଏହି ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛି।

Share