Categories: ଜାତୀୟ

ଇଲେକ୍ଟ୍ରିକ୍‌ ହାଇଓ୍ବେ ବିକାଶ ଲାଗି ସରକାର କାର୍ଯ୍ୟ କରୁଛନ୍ତି: ଗଡ଼କରୀ

ନୂଆଦିଲ୍ଲୀ,୧୨।୯: କେନ୍ଦ୍ର ସରକାର ସୌରଶକ୍ତି ଚାଳିତ ଇଲେକ୍ଟ୍ରିକ୍‌ ରାଜପଥ ବିକାଶ ଦିଗରେ କାର୍ଯ୍ୟ କରୁଛନ୍ତି। ଏହି ରାଜପଥରେ ଯାତାୟାତ କରୁଥିବା ବସ୍‌, ଟ୍ରକ୍‌ ଚାର୍ଜ କରିବା ସୁବିଧା ସେଠାରେ ରହିବ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରଜାପଥ ମନ୍ତ୍ରୀ ନୀତିନ ଗଡ଼କରୀ ସୋମବାର କହିଛନ୍ତି। ଇଣ୍ଡୋ-ଆମେରିକାନ୍‌ ଚାମ୍ବର ଅଫ୍‌ କମର୍ସ (ଆଇଏସିସି) ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଗଡ଼କରୀ କହିଛନ୍ତି, ସରକାର ଭାରତର ସାଧାରଣ ପରିବହନ ବ୍ୟବସ୍ଥାକୁ ବିଦ୍ୟୁତ ଚାଳିତ କରିବାକୁ ଚାହାନ୍ତି। ଏଥିପାଇଁ ସୌର ଓ ବାୟୁଶକ୍ତି ଚାଳିତ ଚାର୍ଜିଂ ମେକାନିଜମ୍‌ର ବିକାଶ ଉପରେ ସରକାର ଜୋର ଦେଉଛନ୍ତି। ଇଲେକ୍ଟ୍ରିକ୍‌ ହାଇଓ୍ବେରେ ଯାଇଥିବା ଓଭରହେଡ୍‌ ବିଦ୍ୟୁତ ତାରରୁ ଗାଡ଼ିଗୁଡ଼ିକୁ ଚାର୍ଜ କରାଯାଇପାରିବ। ଏଥିସହିତ ସମସ୍ତ ଟୋଲ ପ୍ଲାଜା ସୌରଶକ୍ତିରେ ଚାଲିବା ପାଇଁ ମଧ୍ୟ ସରକାର ପ୍ରୋତ୍ସାହିତ କରୁଛନ୍ତି। ଭାରତର ସଡ଼କ ଓ ଜାତୀୟ ରାଜପଥ ପ୍ରକଳ୍ପଗୁଡ଼ିକ ନିବେଶକଙ୍କ ଲାଗି ସୁନା ଖଣି ସଦୃଶ। ଆମେରିକା ନିବେଶକମାନେ ଏଠାରେ ନିବେଶ କରିବା ଲାଗି ଆଗେଇ ଆସିବାକୁ ଗଡ଼କରୀ ଆହ୍ବାନ ଦେଇଛନ୍ତି।

Share