Categories: ଜାତୀୟ

ମୁହଁ ଖୋଲିଲେ ନୀତିନ ଗଡ଼କରୀ…

ନୂଆଦିଲ୍ଲୀ, ୧୦।୨ : କର୍ନାଟକର ହିଜାବ ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଯେ ଆମେ ସମସ୍ତ ଧର୍ମକୁ ସମ୍ମାନ ଦେବା ଏବଂ ସମାଜରେ ଧାର୍ମିକ ସମନ୍ବୟ ସୃଷ୍ଟି କରିବା ଉଚିତ।

ଗଡକରୀ କହିଛନ୍ତି ଯେ ଆମେ ସବୁ ଧର୍ମ, ସମସ୍ତ ଭାଷା, ବିଭିନ୍ନ ବର୍ଗ ସମ୍ପ୍ରଦାୟ, ବିବିଧତା, ଧର୍ମ ଏବଂ ଲିଙ୍ଗ ଆଧାରରେ ସମସ୍ତ ଲୋକଙ୍କୁ ସମ୍ମାନ ଦେବା ଆବଶ୍ୟକ। ସେ କହିଛନ୍ତି ଯେ ଆମେ ସେମାନଙ୍କ ମଧ୍ୟରେ ସମାନତା ପ୍ରତିଷ୍ଠା କରିବା ଜରୁରୀ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ମୁଁ ସର୍ବଦା ଲୋକଙ୍କୁ କହୁଛି ଯେ ଜାତି କିମ୍ବା ଲିଙ୍ଗ ଗତ କାରଣରୁ କୌଣସି ବ୍ୟକ୍ତି ବଡ଼ ହୋଇ ନ ଥାନ୍ତି। ତାଙ୍କର ଗୁଣ ହିଁ ତାଙ୍କୁ ମହାନ କରିଥାଏ। ଆମେ ସମାଜରେ ଭଲ ଗୁଣଗୁଡିକୁ ସମର୍ଥନ କରିବା ଆବଶ୍ୟକ। କାରଣ ଆମେ ସମାନ ପରିବାରର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ନୀତିନ କହିଛନ୍ତି।

ସେ କହିଛନ୍ତି ଯେ କିଛି ଲୋକ ମସଜିଦକୁ ଯାଆନ୍ତି, କେହି କେହି ମନ୍ଦିରକୁ ଯାଆନ୍ତି, ଆଉ କେତେକ ଗୁରୁଦ୍ୱାରକୁ ଯାଆନ୍ତି। ଏହା ସହିତ ସେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଗୀତ ‘ସଂସ୍କୃତି ସବ୍‌ କି ଏକ ଚିରନ୍ତନ, ପୂରଖେ ଜିସ୍‌କେ ହିନ୍ଦୁ, ବିରାଟ ସାଗର ସମାଜ ଆପ୍‌ନା, ହମ୍‌ ସବ୍‌ ଉସ୍‌କେ ବିନ୍ଦୁ’ ମନେ ପକାଇଛନ୍ତି।

ସେ କହିଛନ୍ତି ଯେ ଆମେ ସମାଜ ମଧ୍ୟରେ ଧାର୍ମିକ ସମନ୍ବୟ ସୃଷ୍ଟି କରିବା ଉଚିତ, ଆମେ ଭାରତୀୟ, ଆମେ ଏହି ରାଷ୍ଟ୍ର ପାଇଁ ଲଢ଼ିବା ଏବଂ ଏହାକୁ ଏକ ଜାତୀୟ ଅର୍ଥନୈତିକ ଶକ୍ତିରେ ପରିଣତ କରିବା। ସେ କହିଛନ୍ତି ଯେ ଏହା ହେଉଛି ଭାଜପାର ଚିନ୍ତାଧାରା। ନୀତିନ କହିଛନ୍ତି ଯେ ଏଭଳି ଛୋଟମୋଟ ଘଟଣା ସମାଜ ପାଇଁ ଭଲ ନୁହେଁ। ଆମକୁ ସମସ୍ତଙ୍କ ପାଇଁ ବ୍ୟାପକ ଭାବେ ଚିନ୍ତା କରିବାକୁ ପଡିବ ଯେ ଆମେ ଏହି ସମାଜକୁ କିପରି ଚଳାଇବୁ ଏବଂ ଏହାକୁ ଏକ ସୁଦୃଢ଼ ଦେଶ ଭାବେ ଗଠନ କରିବୁ।

 

Share