Categories: ଜାତୀୟ

କୋଲିଙ୍କୁ ୧୪ତମ ଫାଶୀ ଦଣ୍ଡାଦେଶ

ନୂଆଦିଲ୍ଲୀ,୨୦ା୫:ଉତ୍ତର ପ୍ରଦେଶସ୍ଥିତ ନୋଏଡାର ବହୁଚର୍ଚ୍ଚିତ ନିଠାରୀ ମାମଲାରେ ଗୁରୁବାର ଗାଜିଆବାଦର ସ୍ବତନ୍ତ୍ର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଧାରାବାହିକ ଭାବେ ଯୁବତୀମାନଙ୍କୁ ଅପହରଣ ଓ ବଳାତ୍କାର ପରେ ହତ୍ୟା କରିବା ଅଭିଯୋଗରେ ସୁରିନ୍ଦର କୋଲି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଦୀପିକା ଓରଫ ପାୟଲଙ୍କ ହତ୍ୟା ମାମଲାରେ କୋଲିଙ୍କୁ ଭାରତୀୟ ଦଣ୍ଡ ସଂହିତା (ଆଇପିସି) ଦଫା ୩୦୨ ବଳରେ ଫାଶୀ ଦଣ୍ଡାଦେଶ ଦିଆଯାଇଛି। ସେହିପରି କୋଲିଙ୍କ ମାଲିକ ମୋନିନ୍ଦର ସିଂ ପାନ୍ଧେରଙ୍କୁ ବେଆଇନ ଚାଲାଣ ନିରୋଧୀ ଆଇନର ଧାରା ୫ ବଳରେ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏହା ପୂର୍ବରୁ କୋଲିଙ୍କୁ ମୋଟ ୧୬ ମାମଲା ମଧ୍ୟରୁ ୧୩ଟିରେ ଏବଂ ମୋନିନ୍ଦରଙ୍କୁ ୫ ମାମଲାରୁ ୨ଟିରେ ମୃତ୍ୟୁ ଦଣ୍ଡାଦେଶ ମିଳିସାରିଛି।
କୁଖ୍ୟାତ୍‌ ନିଠାରୀ ମାମଲା ହେଉଛି ୨୦୦୬ ମସିହାର। ସେହିବର୍ଷ ମେ’ ୭ରେ ନିଠାରୀ ଗ୍ରାମର ପାୟଲ ନାମ୍ନୀ ଜଣେ ଯୁବତୀଙ୍କୁ ଚାକିରି ଦେବା ବାହାନାରେ ବ୍ୟବସାୟୀ ମୋନିନ୍ଦର ସିଂ ପାନ୍ଧେରଙ୍କ ନିକଟସ୍ଥ ନୋଏଡାର ସେକ୍ଟର-୩୧ ବାସଭବନକୁ ଡକାଯାଇଥିଲା। ପାୟଲ ସେଠାକୁ ଯାଇ ଆଉ ଘରକୁ ଫେରି ନ ଥିଲେ। ତାଙ୍କ ବାପା ନନ୍ଦଲାଲ ୮ ତାରିଖରେ ନୋଏଡା ଥାନା ସେକ୍ଟର ୨୦ରେ ଝିଅ ନିଖୋଜ ଥିବା ନେଇ ଏତଲା ଦେଇଥିଲେ। ଅଗଷ୍ଟ ୨୪ରେ ଗୌତମବୁଦ୍ଧ ନଗର କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମୋନିନ୍ଦର ଓ ସୁରିନ୍ଦରଙ୍କ ବିରୋଧରେ ଅପହରଣ ଅଭିଯୋଗ ଆଣି ଏଫ୍‌ଆଇଆର୍‌ କରିଥିଲେ। ଡିସେମ୍ବର ୨୯ରେ ମୋନିନ୍ଦରଙ୍କ ଘର ପଛପଟେ ଥିବା ଏକ ନାଳରୁ ପୋଲିସ ୧୯ ଶିଶୁ ଓ ମହିଳାଙ୍କ କଙ୍କାଳ ଜବତ କରିଥିଲା। ଏଥିସହ ମୋନିନ୍ଦର ଓ ସୁରିନ୍ଦରଙ୍କୁ ଗିରଫ କରି ଜେଲ ପଠାଇଥିଲା। ପରବର୍ତ୍ତୀ ସମୟରେ ଏହାର ଗମ୍ଭୀରତାକୁ ଦେଖି ସବୁ ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ସିବିଆଇ ଉଭୟଙ୍କ ବିରୋଧରେ ଅପହରଣ, ବଳାତ୍କାର ଓ ହତ୍ୟା ଅଭିଯୋଗରେ ଚାର୍ଜଶିଟ୍‌ ଦାଖଲ କରିଥିଲା। ଦଣ୍ଡାଦେଶ ପାଇବାରେ ସୁରିନ୍ଦରଙ୍କ ପାଇଁ ଏହା ହେଉଛି ୧୪ତମ ମାମଲା।

Share