୨୫୦ ଟଙ୍କିଆ ସ୍ମାରକୀ ମୁଦ୍ରା ଜାରିକଲେ ଅର୍ଥମନ୍ତ୍ରୀ, କିଣିବାକୁ ହେଲେ ଦେବାକୁ ହେବ….

ନୂଆଦିଲ୍ଲୀ,୩।୧୧: କର୍ନାଟକ ସଙ୍ଗୀତର ମହାନ ସଙ୍ଗୀତଜ୍ଞ ତଥା କର୍ନାଟକ ସଙ୍ଗୀତର ତ୍ରିମୂର୍ତ୍ତିଙ୍କ ମଧ୍ୟରୁ ଅନ୍ୟତମ ମୁଥୁସ୍ୱାମୀ ଦୀକ୍ଷିତାରଙ୍କ ୨୫୦ତମ ଜୟନ୍ତୀ ଅବସରରେ ୨୫୦ ଟଙ୍କିଆ ସ୍ମାରକୀ ମୁଦ୍ରା ଜାରି ହୋଇଛି ।ମଙ୍ଗଳବାର ବାରାଣସୀସ୍ଥିତ ଆଇଆଇଟି (ବିଏଚ୍‌ୟୁ)ରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏହି ମୁଦ୍ରା ଉନ୍ମୋଚନ କରିଛନ୍ତି। ଏହା ସହିତ ସେ ‘ଅମର ଗୁରୁଗୁହମ୍ ପୋତ୍ରୁଭମ୍’ ନାମକ ଏକ ପୁସ୍ତକ ମଧ୍ୟ ଉନ୍ମୋଚନ କରିଥିଲେ । ଏହି ପୁସ୍ତକରେ ମୁଥୁସ୍ୱାମୀ ଦୀକ୍ଷିତାରଙ୍କ ଜୀବନ, ଦର୍ଶନ ଏବଂ ସଙ୍ଗୀତ ଜଗତକୁ ତାଙ୍କର ଅବଦାନ ସମ୍ପର୍କରେ ଉଲ୍ଲେଖ ରହିଛି ।

ସ୍ମାରକୀ ମୁଦ୍ରା କୌଣସି ବିଶେଷ ଅବସର, ମହାନ ବ୍ୟକ୍ତିତ୍ୱ କିମ୍ବା ସ୍ମାରକୀର ସ୍ମୃତିରେ ଜାରି କରାଯାଇଥାଏ । ଏହା ସାଧାରଣ ମୁଦ୍ରା ପରି ଦୈନନ୍ଦିନ କିଣାବିକା କିମ୍ବା ଅର୍ଥ କାରବାରରେ ବ୍ୟବହାର ହୋଇନଥାଏ। ମୁଥୁସ୍ୱାମୀ ଦୀକ୍ଷିତାରଙ୍କ ୨୫୦ତମ ଜୟନ୍ତୀ ଅବସରରେ ଜାରି ହୋଇଥିବା ଏହି ୨୫୦ ଟଙ୍କିଆ ମୁଦ୍ରାକୁ ଇଣ୍ଡିଆ ଗଭର୍ଣ୍ଣମେଣ୍ଟ ମିଣ୍ଟ୍‌ର ୱେବସାଇଟ୍‌ରୁ କିଣିହେବ। ୱେବସାଇଟ୍‌ରେ ଏହାର ମୂଲ୍ୟ ୬,୯୮୫ ଟଙ୍କା ରହିଛି। ତେବେ ଏହା ଏକ ସ୍ମାରକୀ ମୁଦ୍ରା ହୋଇଥିବାରୁ ସାଧାରଣ ଅର୍ଥ କାରବାରରେ ଏହାକୁ ବ୍ୟବହାର କରିହେବ ନାହିଁ।

କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ନିର୍ମଳା ସୀତାରାମନ କର୍ନାଟକୀ ସଙ୍ଗୀତର ସମୃଦ୍ଧ ପରମ୍ପରା ଏବଂ ଏହି କ୍ଷେତ୍ରକୁ ମୁଥୁସ୍ୱାମୀ ଦୀକ୍ଷିତାରଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ତାଙ୍କ ବୀଣା ବାଦନର ସ୍ୱତନ୍ତ୍ରତା ଏବଂ କାଶୀ ସହିତ ତାଙ୍କର ସମ୍ପର୍କ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ । ଭାରତର ସଙ୍ଗୀତ ଓ ସାଂସ୍କୃତିକ ଐତିହ୍ୟକୁ ନୂଆ ପିଢ଼ି ପାଖରେ ପହଞ୍ଚାଇବାର ଗୁରୁତ୍ୱ ଉପରେ ଅର୍ଥମନ୍ତ୍ରୀ ଜୋର୍‌ ଦେଇଥିଲେ। ଏଭଳି କାର୍ଯ୍ୟକ୍ରମ ଆୟୋଜନ ପାଇଁ ସେ ଆଇଆଇଟି (ବିଏଚ୍‌ୟୁ)କୁ ପ୍ରଶଂସା କରିଥିଲେ।

 

Dharitri – Odisha’s No.1 Odia Daily

Share