ନୀରବ ମୋଦିଙ୍କ ପ୍ରତ୍ୟର୍ପଣକୁ ମିଳିଲା ଅନୁମତି : ଏବେ ମଧ୍ୟ ଖସିବାର ବାଟ ଅଛି

ନୂଆଦିଲ୍ଲୀ,୧୬।୪: ଦୁର୍ନୀତି କରି ବ୍ରିଟେନ ପଳାଇଥିବା ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ଲାଗିଛି ଶକ୍ତ ଧକ୍କା। ମୋଦିଙ୍କ ପ୍ରତ୍ୟର୍ପଣ ନର୍ଦ୍ଦେଶରେ ମୋହର ମାରିଛନ୍ତି ବ୍ରିଟେନ ଗୃହ ସଚିବ ପ୍ରିତି ପଟେଲ। କିନ୍ତୁ ଏବେ ମଧ୍ୟ ବ୍ରିଟେନ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବାର ଆଇନ ଗତ ଅଧିକାର ୫୦ ବର୍ଷୀୟ ନୀରବଙ୍କ ନିକଟରେ ରହିଛି।

୨୮ ଦିନ ମଧ୍ୟରେ ସେ ଏହି ନିଷ୍ପତ୍ତିକୁ ବ୍ରିଟେନ କୋର୍ଟରେ ବିରୋଧ କରିପାରିବେ। ଏହି ପ୍ରକ୍ରିୟାରେ ମାସେ କିମ୍ବା ବର୍ଷେ ଲାଗିପାରେ। ସମାନ କାରଣରୁ ବିଜୟ ମାଲ୍ୟାଙ୍କୁ ଭାରତ ପ୍ରତ୍ୟର୍ପଣ କରାଯାଇ ପାରୁନାହିଁ। ମାଲ୍ୟା ୨୦୧୯ରେ ପ୍ରତ୍ୟର୍ପଣ ନିର୍ଦ୍ଦେଶର ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି)ରେ ଜାଲିଆତି କରି ୧୪ ହଜାର କୋଟି ଟଙ୍କାର ଦୁର୍ନୀତିରେ ମୁଖ୍ୟ ଅଭିଯୁକ୍ତ ହେଲେ ନୀରବ। ୨୦୧୮ରୁ ସିବିଆଇ ଓ ଇଡି ଏହି ଦୁର୍ନୀତିର ତଦନ୍ତ କରୁଛି। ସେବେଠାରୁ ତାଙ୍କୁ ପ୍ରତ୍ୟର୍ପଣ କରିବାକୁ ଉଦ୍ୟମ ଚାଲିଛି।

Share