ନୀରବ ମୋଦି ଭାରତ ଆସିବା ବାଟ ଫିଟିଲା

ଲଣ୍ଡନ,୧୫।୧୨: ପଳାତକ ଭାରତୀୟ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଭାରତ ପ୍ରତ୍ୟର୍ପଣ ବିରୋଧରେ ଶେଷ ଆବେଦନକୁ ବ୍ରିଟେନ୍‌ର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ କରାଯାଇଛି। ଏହା ସହ ନୀରବଙ୍କୁ ଭାରତ ଆଣିବା ପାଇଁ ରାସ୍ତା ସଫା ହୋଇଛି। ଗତ ବର୍ଷ ଫେବୃଆରୀରେ ୱେଷ୍ଟମିନିଷ୍ଟର ଜଜ ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ପରେ ଏହି ନିଷ୍ପତ୍ତି ବିରୋଧରେ ତାଙ୍କୁ ଅପିଲ କରିବାକୁ ଅନୁମତି ଦିଆଯାଇଥିଲା। ଭାରତ ଦୀର୍ଘ ଦିନ ଧରି ନୀରବ ମୋଦିଙ୍କୁ ଭାରତ ଆଣିବାକୁ ଚେଷ୍ଟା କରିଆସୁଛି। କିନ୍ତୁ ବ୍ରିଟେନର ଜେଲରେ ବନ୍ଦ ନୀରବ ତାଙ୍କ ପ୍ରତ୍ୟର୍ପଣ ରୋପିବାକୁ ବିଭିନ୍ନ ଯୁକ୍ତି ବାଢୁଛନ୍ତି।
ବ୍ରିଟେନରେ ତାଙ୍କର ଓକିଲମାନେ ଯୁକ୍ତି କରିଥିଲେ, ନୀରବ ଡିପ୍ରେସନର ଶିକାର ହୋଇଛନ୍ତି। ସେ ଭାରତର ଜେଲରେ ଆତ୍ମହତ୍ୟା କରିପାରନ୍ତି। ଏହି ଯୁକ୍ତି ଦର୍ଶାଇ ସେ ନୀରବଙ୍କୁ ଭାରତ ପଠାଇବାକୁ ବିରୋଧ କରିଥିଲେ। ତେବେ ପୂର୍ଣ୍ଣ ଶୁଣାଣି ପରେ ବ୍ରିଟେନ କୋର୍ଟ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି।
ସୂଚନାଯୋଗ୍ୟ, ନୀରବ ମୋଦି ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କକୁ ୭,୦୦୦ କୋଟି ଟଙ୍କା ଠକେଇ କରିଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ଥିବା ସବିଶେଷ ତଥ୍ୟ ସାର୍ବଜନୀନ ହେବା ପୂର୍ବରୁ ୨୦୧୮ରେ ନୀରବ ମୋଦି ଭାରତ ଛାଡି ପଳାଇଥିଲେ।

Share