ମୁମ୍ବାଇ,୨୯ା୪: ଦକ୍ଷିଣ ମୁମ୍ବାଇର ବାଲାର୍ଡ ଇଷ୍ଟେଟ୍ରେ ଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜୋନ୍-୧ କାର୍ଯ୍ୟାଳୟରେ ରବିବାର ସକାଳେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ଜଳିଯାଇଛି। ପାଖାପାଖି ୧୦ ଘଣ୍ଟା ନିଆଁ ଜଳିବା ଫଳରେ ଅନେକ ହାଇପ୍ରୋଫାଇଲ୍ ମାମଲାର ତଦନ୍ତ ରେକର୍ଡକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି। ନଷ୍ଟ ହୋଇଯାଇଥିବା ଫାଇଲ୍ଗୁଡ଼ିକ ମଧ୍ୟରେ ପଳାତକ ବ୍ୟବସାୟୀ ମେହୁଲ ଚୋକ୍ସି, ନୀରବ ମୋଦି, ରାଜନେତା ଛଗନ ଭୁଜବଳ ଏବଂ ଅନିଲ ଦେଶମୁଖଙ୍କ ତଦନ୍ତ ରେକର୍ଡ ରହିଥିବା କୁହାଯାଉଛି। ତେବେ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି।
କମ୍ପ୍ୟୁଟର, ଡକ୍ୟୁମେଣ୍ଟେଶନ ସମେତ କାର୍ଯ୍ୟାଳୟ ଭିତ୍ତିଭୂମିର ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ତଦନ୍ତ ପ୍ରକ୍ରିୟାରେ ଏହାର କିଭଳି ପ୍ରଭାବ ପଡ଼ିବ, ତାହା ଅନିଶ୍ଚିତତା ମଧ୍ୟରେ ରହିଛି। କ୍ଷୟକ୍ଷତିର ଆକଳନ ଜାରି ରହିଛି। ଅଧିକାଂଶ ଦସ୍ତାବିଜ୍କୁ ଡିଜିଟାଇଜ୍ କରାଯାଇଥିବାରୁ ସେଗୁଡ଼ିକ ତଦନ୍ତରେ ସହାୟକ ହୋଇପାରେ ବୋଲି କୁହାଯାଉଛି। ତେବେ ଚାର୍ଜଶିଟ୍ ଦାଖଲ ବେଳେ କୋର୍ଟରେ ମୂଳ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ହୋଇଥାଏ। ସମନ ହୋଇଥିବା ସାକ୍ଷୀମାନଙ୍କୁ ଜେରା ପ୍ରକ୍ରିୟା ପ୍ରଭାବିତ ହୋଇପାରେ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଫାଇଲ୍ଗୁଡ଼ିକ ଡିଜିଟାଲି ସଂରକ୍ଷିତ ହୋଇଥିବାରୁ ତଦନ୍ତ ଓ ବିଚାର ପ୍ରକ୍ରିୟା ପ୍ରଭାବିତ ହେବ ନାହିଁ ବୋଲି ଇଡି କହିଛି।
ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍ବି)ରୁ ୧୩,୮୫୦ କୋଟି ଟଙ୍କା ଋଣ ଜାଲିଆତିରେ ସମ୍ପୃକ୍ତ ଥାଇ ଦେଶ ଛାଡ଼ି ପଳାଇଥିବା ହୀରା ବ୍ୟବସାୟୀ ମେହୁଲ ଚୋକ୍ସିଙ୍କୁ ଚଳିତ ମାସ ଆରମ୍ଭରେ ବେଲ୍ଜିୟମ୍ରୁ ଗିରଫ କରାଯାଇଥିଲା।


