ନିରଞ୍ଜନ ପୂଜାରୀଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଦାୟିତ୍ୱ

ଭୁବନେଶ୍ୱର,୩୦ା୧(ବ୍ୟୁରୋ): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅନୁମୋଦନ କ୍ରମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ଦାୟିତ୍ୱ ବଣ୍ଟନ କରିଛନ୍ତି।

ସୂଚନାଯୋଗ୍ୟ, ଦିବଂଗତ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଦେହାନ୍ତ ପରେ ଏହି ଦାୟିତ୍ୱ ନିରଞ୍ଜନ ପୂଜାରୀଙ୍କୁ ଦିଆଯାଇଛି। ଝାରସୁଗୁଡ଼ାର ବ୍ରଜରାଜନଗରର ଗାନ୍ଧିଛକରେ ରବିବାର ପୂର୍ବାହ୍ନରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ଗୋପାଳକୃଷ୍ଣ ଦାସ ନାମକ ଜଣେ ପୋଲିସ ଏଏସ୍‌ଆଇ ଏହି ଗୁଳିମାଡ଼ କରିଥିଲେ। ତାଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭୁବନେଶ୍ୱର ଏୟାରଲିଫ୍ଟ କରାଯାଇ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଅସ୍ତ୍ରୋପଚାର ପରେ ମଧ୍ୟ ପ୍ରାଣହାନି ଘଟିଥିଲା।