ଦିବ୍ୟାଙ୍ଗ ସୁକାନ୍ତିଙ୍କ ହାତ ଧରିଲେ ନିରଞ୍ଜନ

ଖଇରା,୫।୧୦(ଡି.ଏନ.ଏ.)-ବାଲେଶ୍ବର ଜିଲା ଖଇରା ବ୍ଲକ ଜଳଦା ପଞ୍ଚାୟତ ଅଧୀନ ସମ୍ପେଇ ଗ୍ରାମରେ ଗ୍ରାମବାସୀଙ୍କ ସହଯୋଗରେ ଦିବ୍ୟାଙ୍ଗ ଯୁବତୀଯୁବକଙ୍କ ବିବାହ ରବିବାର ସମ୍ପନ୍ନ କରାଯାଇଛି। ସମ୍ପେଇ ଗ୍ରାମର ମାୟାଧର ଜେନାଙ୍କ ପୁଅ ନିରଞ୍ଜନଙ୍କ ବିବାହ ବୟସ ହୋଇ ଯାଇଥିବା ବେଳେ ସେ ଜଣେ ଦିବ୍ୟାଙ୍ଗ ହୋଇଥିବାରୁ କେହି ଝିଅ ଦେବାକୁ ରାଜି ହୋଇ ନ ଥିଲେ। ଗ୍ରାମବାସୀ ଉକ୍ତ ବିଷୟ ହୃଦୟଙ୍ଗମ କରିବା ସହ ଯୋଗାଡରେ ଲାଗି ପଡିଥିଲେ ା ଘଟଣାକ୍ରମେ ସୋର ଥାନା ଅଧୀନ କୋଚିଆକୋଇଲି ଗ୍ରାମର ସନାତନ ବେହେରା ଅର୍ଥାଭାବ ଯୋଗୁ ଦିବ୍ୟାଙ୍ଗ ଝିଅ ସୁକାନ୍ତିଙ୍କ ବିବାହ ହୋଇପାରୁ ନ ଥିଲା। ଗ୍ରାମବାସୀ ବିଶେଷ ସୂତ୍ରରୁ ଖବର ନେଇ ସନାତନଙ୍କ ସହ କଥାବାର୍ତ୍ତା କରି ବିବାହ ତାରିଖ ଧାର୍ଯ୍ୟ କରିଥିଲେ ା ରବିବାର ସମ୍ପେଇ ଗ୍ରାମରେ ଥିବା କଲ୍ୟାଣମଣ୍ଡପରେ ବ୍ରାହ୍ମଣ ମୁରଲୀଧର ପଣ୍ଡା ଓ ବାରିକ ଗୟାଧର ବାରିକଙ୍କ ଦ୍ବାରା ଉଭୟଙ୍କ ବିବାହ କରାଯାଇଥିଲା। ଗ୍ରାମର ଖଗେନ୍ଦ୍ର ମାହାନା, ବ୍ରହ୍ମାନନ୍ଦ ମାହାନା, ଲକ୍ଷ୍ମୀଧର ଗିରି, ରମାକାନ୍ତ ସେଠୀ, ରାଜେନ୍ଦ୍ର ମାହାନା ପ୍ରମୁଖ ସହଯୋଗରେ ବିବାହ ସମ୍ପନ୍ନ ହୋଇଥିଲା ା