Categories: ଜାତୀୟ

ନିପା ଭାଇରସ୍‌ ଆତଙ୍କ, ୧୧ ଜଣଙ୍କଠାରେ ଲକ୍ଷଣ, ୨୫୧ ଜଣ ଆଇସୋଲେଶନ୍‌ରେ…

ଥିରୁଭାନନ୍ତପୁରମ୍‌,୭।୯: କେରଳରେ କରୋନା ମହାମାରୀ ସହିତ ନିପା ଭାଇରସ ସଂକ୍ରମଣ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ରାଜ୍ୟରେ ୧୧ ଜଣଙ୍କଠାରେ ନିପା ଲକ୍ଷଣ ପ୍ରକାଶ ପାଇଛି। ସେହିପରି ମାଓ୍ବୁରରେ ନିପା ଯୋଗୁ ମୃତ୍ୟୁ ଘଟିଥିବା ୧୨ ବର୍ଷର ଶିଶୁଙ୍କ ସଂସ୍ପର୍ଶରେ ଆସିଥିବା ୨୫୧ଜଣଙ୍କୁ ଚିହ୍ନଟ କରାଯାଇ ଆଇସୋଲେଶନରେ ରଖାଯାଇଛି। ୪୮ ଜଣ ଲୋକଙ୍କୁ ସୁରକ୍ଷା ଦୃଷ୍ଟିରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩୧ ଜଣ କୋଝିକୋଡ ବାସିନ୍ଦା।

ଅନ୍ୟମାନଙ୍କ ମଧ୍ୟରେ ଓ୍ବାଇନାଡ୍‌, ମଲ୍ଲପୁରମ୍‌ ଏବଂ ପଲ୍ଲକଡ଼ ବାସିନ୍ଦା ମଧ୍ୟ ରହିଛନ୍ତି। ଲକ୍ଷଣ ପ୍ରକାଶ ପାଇଥିବା ୧୧ ଜଣଙ୍କ ମଧ୍ୟରୁ ୮ ଜଣ ହାଇ ରିସ୍କ୍‌ ଆକ୍ରାନ୍ତଙ୍କ ନମୁନା ପରୀକ୍ଷା ପାଇଁ ପୁଣେ ସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ଭିରୋଲୋଜିକୁ ପଠାଯାଇଥିବା ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି।

ମୃତ ଶିଶୁଙ୍କ ସଂସ୍ପର୍ଶରେ ଆସିଥିବା ୨୫୧ ଜଣଙ୍କ ମଧ୍ୟରେ ୧୨୯ ଜଣ ସ୍ବାସ୍ଥ୍ୟକର୍ମୀ ରହିଛନ୍ତି। ମେଡ଼ିକାଲ ଟିମ୍‌ ପକ୍ଷରୁ ଲଗାତାର ସେମାନଙ୍କ ଉପରେ ତୀକ୍ଷ୍‌ଣ ନଜର ରଖାଯାଇଥିବା ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ରାଜ୍ୟ ପ୍ରାଣୀ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ଦଳ ଆକ୍ରାନ୍ତ ବ୍ୟକ୍ତିମାନଙ୍କ ବାସସ୍ଥାନ ନିକଟରେ ଥିବା ଗଛ ଯାଞ୍ଚ୍‌ କରି ସେଠାରେ ବାଦୁଡ଼ି ରହିଛି କି ନାହିଁ ତଦାରଖ କରୁଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ତଳେ ପଡ଼ିଥିବା ଫଳ ଭଲ ଭାବେ ଧୋଇ ଖାଇବାକୁ ପରାମର୍ଶ ଦିଆଯାଇଛି।

Share