Categories: ଜାତୀୟ

୬ ରାଜ୍ୟର ବାଦୁଡ଼ିଙ୍କଠାରେ ନିପା ଆଣ୍ଟିବଡ଼ି…

ନୂଆଦିଲ୍ଲୀ, ୬।୪ : ଦେଶର ଦକ୍ଷିଣ ରାଜ୍ୟରେ ଗତ ଚାରି ବର୍ଷ ମଧ୍ୟରେ ନିପା ଭାଇରସର ସଂକ୍ରମଣ ତିନି ଥର ହୋଇଛି। ୨୦୨୧ରେ କେରଳରେ ନିପା ସଂକ୍ରମଣ ମାମଲା ବୃଦ୍ଧି ପାଇଥିଲା। ସମ୍ପ୍ରତି ଭାରତୀୟ ବୈଜ୍ଞାନିକମାନେ ୬ଟି ରାଜ୍ୟର ବାଦୁଡ଼ିଙ୍କଠାରେ ନିପା ପ୍ରତିରୋଧୀ ଆଣ୍ଟିବଡି ପାଇଛନ୍ତି। ସଂକ୍ରମଣ ହେବା ପରେ ଆଣ୍ଟିବଡି ବିକଶିତ ହୋଇଥାଏ। ତେବେ, ବାଦୁଡ଼ିଙ୍କ ମଧ୍ୟରୁ କୌଣସି ଜୀବନ୍ତ ଭାଇରସ ମିଳି ନାହିଁ।

ସୂଚନାନୁସାରେ, ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର)ର ବୈଜ୍ଞାନିକମାନେ କର୍ନାଟକ, ତାମିଲନାଡୁ, ତେଲେଙ୍ଗାନା, ଓଡିଶା, ପଣ୍ଡିଚେରୀ ଏବଂ କେରଳର ବାଦୁଡ଼ିଙ୍କୁ ଧରି ସେମାନଙ୍କ ରକ୍ତ ନମୁନା ନେଇ ଲ୍ୟାବରେ ପରୀକ୍ଷା କରିଥିଲେ। ପ୍ରାୟ ୨୦ ପ୍ରତିଶତ ବାଦୁଡ଼ିଙ୍କ ମଧ୍ୟରେ ନିପା ଭାଇରସ ଆଣ୍ଟିବଡି ସୃଷ୍ଟି ହୋଇଥିବା ଜଣାପଡ଼ିଛି। ବାଦୁଡ଼ିଗୁଡ଼ିକ ନିକଟ ଅତୀତରେ ନିପା ସଂକ୍ରମଣରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ୫୭୩ ବାଦୁଡ଼ିଙ୍କ ଉପରେ ଏହି ଗବେଷଣା କରାଯାଇଥିଲା।

ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ଭିଲୋଜିର ବରିଷ୍ଠ ବୈଜ୍ଞାନିକ ଡକ୍ଟର ପ୍ରୟାଗ ଯାଦବ କହିଛନ୍ତି ଯେ ଜାନୁୟାରୀରୁ ନଭେମ୍ବର ୨୦୧୯ ମଧ୍ୟରେ ୬ଟି ରାଜ୍ୟର ବାଦୁଡ଼ିଙ୍କଠାରୁ ଏହି ନମୁନା ସଂଗ୍ରହ କରାଯାଇଥିଲା। ଏଥି ସହିତ, ୨୫୫ ବାଦୁଡ଼ିଙ୍କ ରକ୍ତ ନମୁନା ନେଇ ସେରୋ-ପଜିଟିଭିଟି ପରୀକ୍ଷା ମଧ୍ୟ କରାଯାଇଥିଲା ।

ପରବର୍ତ୍ତୀ ସମୟରେ, ଫଳାଫଳଗୁଡିକର ଏକ ସମୀକ୍ଷାରୁ ଜଣାପଡିଛି ଯେ ୫୨ ଟି ବାଦୁଡ଼ିଙ୍କଠାରେ ନିପା ଭାଇରସ ବିରୁଦ୍ଧରେ ଆଣ୍ଟିବଡି ମିଳିଥିଲା। ଡକ୍ଟର ଯାଦବ କହିଛନ୍ତି ଯେ ମହାମାରୀ ସଂକ୍ରମଣ କରିବାର ନିପା ଭୂତାଣୁ ଅନ୍ୟତମ। ଅବଶ୍ୟ, ସଂକ୍ରମଣ ଦୃଷ୍ଟିରୁ କରୋନା ଭୂତାଣୁ ତୁଳନାରେ ଏହି ସଂକ୍ରମଣ ବହୁତ ଧୀର ବୋଲି ବୈଜ୍ଞାନିକ କହିଛନ୍ତି।

Share