ବୈଷୟିକ ସହାୟତା ଦେବ ଏନ୍‌ଆଇଓଟି

ଛତ୍ରପୁର/ଗଞ୍ଜାମ,୨ା୮(ଡି.ଏନ୍‌.ଏ.):ଗଞ୍ଜାମ ଜିଲାରେ ଦିନକୁ ଦିନ ସମୁଦ୍ର କୂଳ ଖାଇବାରେ ଲାଗିଛି। ସମୁଦ୍ର ଜଳପତନ ବୃଦ୍ଧି ହେଉଥିବାରୁ ଉଚ୍ଚ ଜୁଆର ମାଡି ଆସୁଛି। ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ଓ ଗଞ୍ଜାମ ବ୍ଲକର ପୋଡ଼ମପେଟା ଗାଁ ସମୁଦ୍ର କୂଳରେ ଥିଲା। ସମୁଦ୍ର କୂଳ ଲଂଘିବାରୁ ଏକାଧିକ ଗାଁ ଏବେ ବିପଦରେ ରହିଛି। ପୋଡମପେଟାରେ ବହୁତ ଘର ସମୁଦ୍ରରେ ଲୀନ ହୋଇଯାଇଥିବା ବେଳେ ଏବେ ଆଉ ମାତ୍ର ୭ଟି ଘର ରହିଛି। ଆଗାମୀ ଦିନରେ ଏଭଳି ଅନେକ ଗାଁ ସମୁଦ୍ରରେ ଲୀନ ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି। ସୋମବାର ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ପୋଡ଼ମପେଟାରେ ସ୍ଥିତି ଅନୁଧ୍ୟାନ କରିଛନ୍ତି। କ୍ରମାଗତ ଉପକୂଳ ଅବକ୍ଷୟ ପାଇଁ ଗ୍ଲୋବାଲ ର୍ୱାମିଂକୁ ପରିବେଶବିତ୍‌ ଦାୟୀ କରିଛନ୍ତି। ତେଣୁ ରାଜ୍ୟ ସରକାର ଉପକୂଳ ସୁରକ୍ଷା ପାଇଁ ଏକ ଦୀର୍ଘମିଆଦି, ପ୍ରଭାବୀ, ପରିବେଶ ଅନୁକୂଳ ଯୋଜନା ପ୍ରସ୍ତୁତ କରିବାକୁ ଚେନ୍ନାଇସ୍ଥିତ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଓସେନ ଟେକ୍ନୋଲୋଜି (ଏନ୍‌ଆଇଓଟି) ସହ ମିଳିତ ଭାବେ କାର୍ଯ୍ୟ କରିବାକୁ ନିଷ୍ପତ୍ତିି ନେଇଛନ୍ତି। କେନ୍ଦ୍ର ଭୂ-ବିଜ୍ଞାନ ବିଭାଗ ଅଧୀନ ଉକ୍ତ ଉଚ୍ଚ ବୈଷୟିକ ସଂସ୍ଥା ରାଜିନାମା ସ୍ବାକ୍ଷର ଲାଗି ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ କରିସାରିଛନ୍ତି। ଶୀଘ୍ର ଉଭୟ ପକ୍ଷ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷର ହେବ ଏବଂ ଏହାପରେ ଏନ୍‌ଆଇଓଟି ପକ୍ଷରୁ ବୈଷୟିକ ସହାୟତା ମିଳିବ ବୋଲି ସୂଚନା ଦିଆଯାଇଛି। ସମୁଦ୍ର କୂଳ ଲଂଘୁଥିବା ଏବଂ ଜନବସତି ପ୍ରତି ବିପଦ ଥିବାରୁ ଏକ ଆଦର୍ଶ କଲୋନୀ କରାଯିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଏକ ଯୋଜନା କରାଯାଇଛି ବୋଲି ଜିଲାପାଳ ଦିବ୍ୟଜ୍ୟୋତି ପରିଡା ସୋମବାର କହିଛନ୍ତି। ପୂର୍ବରୁ ଓଡିଆରପି ଗୃହ ନିର୍ମାଣ କରାଯାଇ ସମୁଦ୍ର ଓ ଚିଲିକା ଉପକୂଳବର୍ତ୍ତୀ ଲୋକଙ୍କୁ ଦିଆଯାଇଛି। ଏପରିକି ପୋଡମପେଟା ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରି ନୂଆ ପୋଡମପେଟାରେ ଗୃହ ଯୋଗାଇ ଦିଆଯାଇଛି। ପୁଣି ଏବେ ନୂଆ ସ୍ଥାନ ଦେଖି କିପରି ଅଧିକ ଲୋକଙ୍କୁ ଓଡିଆରପି ଗୃହ ଯୋଗାଇ ଦିଆଯିବ ସେହି ବ୍ୟବସ୍ଥା କରାଯାଉଛି।