Categories: ଜାତୀୟ

ବିହାର ନିର୍ବାଚନରେ ୯ ମାସର ଗର୍ଭବତୀ

ପାଟନା, ୧୭।୧୦: ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ସମୟ କେତେ ଆହ୍ବାନପୂର୍ଣ୍ଣ ହୋଇଥାଏ ତାହାର ଜ୍ୱଳନ୍ତ ଉଦାହରଣ ବିହାର ନିର୍ବାଚନରେ ଦେଖିବାକୁ ମିଳିଛି। ଭୋଜପୁର ଜିଲାର ଜଗଦୀଶପୁର ସିଟ୍‌ରେ ଠିଆ ହୋଇଥିବା ଜେଡିୟୁର ମହିଳା ପ୍ରାର୍ଥୀ ସୁଷମଲତା କୁଶଓ୍ବାଙ୍କ ବିଷୟରେ ଆମେ ଏଠାରେ ଆଲୋଚନା କରୁଛୁ। ସୁଷମଲତା ୯ ମାସର ଗର୍ଭବତୀ ଅଛନ୍ତି। ଯେକୌଣସି ମୁହୂର୍ତ୍ତରେ ସେ ସନ୍ତାନ ପ୍ରସବ କରିପାରନ୍ତି। କିନ୍ତୁ ଏହାସତ୍ତ୍ୱେ ସେ ନିର୍ବାଚନୀ ରଣନୀତି ଓ ପ୍ରଚାରରେ ନିଜକୁ ବ୍ୟସ୍ତ ରଖୁଛନ୍ତି। ସୁଷମଲତା ମଧ୍ୟ ସ୍ଥାନୀୟ ଏକ ପଞ୍ଚାୟତର ମୁଖ୍ୟ ମଧ୍ୟ ଅଛନ୍ତି। ଏହି କାରଣରୁ ସାଧାରଣ ପ୍ରାର୍ଥୀଙ୍କ ତୁଳନାରେ କମ୍‌ ପ୍ରଚାରରେ ତାଙ୍କ କାମ ଚଳିଯାଉଛି।
ଅନ୍ତିମ ଅବସ୍ଥାରେ କାହିଁକି ନିର୍ବାଚନ ମଇଦାନକୁ ଓହ୍ଲାଇଲେ ବୋଲି ପ୍ରଶ୍ନ କରାଯିବାରୁ ବାବୁ କୁନଓ୍ବର ସିଂ ଓ ଲକ୍ଷ୍ମୀ ବାଇଙ୍କ ଉଦାହରଣ ଦେଇ ସୁଷମଲତା କହିଛନ୍ତି, ସେମାନେ ମୋର ଆଦର୍ଶ ଏବଂ ମୁଁ ମୋ କାର୍ଯ୍ୟ କରିଚାଲିଛି। ଲୋକଙ୍କ ସହାୟତାରେ କଠିନ ପରିସ୍ଥିତି ମଧ୍ୟ ସହଜ ହୋଇଯାଇଥାଏ। ଏହା ମୋର ଭାଗ୍ୟ ଅଟେ। ତେବେ ଏହି ଆସନ ଜେଡିୟୁ ପାଇଁ ସହଜ ହେବନାହିଁ। ଗତ ୨ଟି ନିର୍ବାଚନରେ ଏଠାରେ ଆର୍‌ଜେଡି ଜିତି ଆସୁଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୨୦୧୦ରେ ଯେତେବେଳେ ଜେଡିୟୁ-ବିଜେପିର ପ୍ରଭାବ ଥିଲା ସେତେବେଳେ ମଧ୍ୟ ଏଠାରେ ଆର୍‌ଜେଡି ପ୍ରାର୍ଥୀ ଜିତିଥିଲେ। ବର୍ତ୍ତମାନର ବିଧାୟକ ରାମ ବିଷ୍ଣୁ ସିଂ ଆର୍‌ଜେଡି ଟିକେଟ୍‌ରେ ଚଳିତ ଥର ଲଢ଼ୁଛନ୍ତି।

Share