କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଏକ ୯ ଫୁଟ୍ ଲମ୍ବର ଅଜଗର ସାପକୁ ବନ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି।
ସୂଚନା ଅନୁଯାୟୀ, ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରେ ଥିବା ଏକ ଜମିରେ ଚାଷ କାମ କରୁଥିବା ସମୟରେ ଲୋକମାନେ ଏକ ଅଜଗର ସାପକୁ ଦେଖିଥିଲେ। ଏନେଇ ସେମାନେ କେସିଙ୍ଗା ବନ ବିଭାଗକୁ ଖବର ଦେଇଥିଲେ।
ଖବର ପାଇ କେସିଙ୍ଗା ଏସିଏଫ୍ ଅଶୀତ କୁମାର ଦାଶଙ୍କ ନିର୍ଦ୍ଦେଶକ୍ରମେ ବନପାଳ ଯଶୋବନ୍ତ ନାଏକଙ୍କ ନେତୃତ୍ୱରେ ଭବାନୀପାଟଣାରୁ ବନ୍ୟପ୍ରାଣୀ ସଂରକ୍ଷଣ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦଳ ସଦସ୍ୟମାନେ ସାବଧାନତାର ସହ ଅଜଗରଟିକୁ ଉଦ୍ଧାର କରିଥିଲେ।
ଅଜଗରକୁ ଦେଖିବା ପାଇଁ ଗାଁର ଶତାଧିକ ଲୋକ ଘଟଣାସ୍ଥଳରେ ରୁଣ୍ଡ ହୋଇଥିଲେ। ଉଦ୍ଧାର ପରେ ଅଜଗରଟିକୁ ବନ ବିଭାଗ କାର୍ଯ୍ୟାଳୟକୁ ନିଆଯାଇଥିଲା। ପରେ ଏସିଏଫ୍ ଅଶୀତ କୁମାର ଦାଶଙ୍କ ନିର୍ଦ୍ଦେଶକ୍ରମେ ଅଜଗରଟିକୁ କେସିଙ୍ଗାସ୍ଥିତ ବଜ୍ରଗଡ଼ ଜଙ୍ଗଲକୁ ନେଇ ସୁରକ୍ଷିତ ଭାବେ ଛାଡ଼ିଦିଆଯାଇଥିଲା।
ଏହି ଉଦ୍ଧାର କାର୍ଯ୍ୟରେ କେସିଙ୍ଗା ବନପାଳ ଯଶୋବନ୍ତ ନାଏକ, ବନ୍ୟପ୍ରାଣୀ ସଂରକ୍ଷକ ବିକିଜି ନାଗ ଏବଂ ବନ୍ୟପ୍ରାଣୀ ଉଦ୍ଧାରକାରୀ ଶଙ୍କର ନାଗ ପ୍ରମୁଖ ସାମିଲ ହୋଇଥିଲେ। ଉଦ୍ଧାର ଅଜଗରକୁ ବଜ୍ରଗଡ଼ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡ଼ିଦିଆଯାଇଥିବା ବନପାଳ ଯଶୋବନ୍ତ ନାଏକ ସୂଚନା ଦେଇଛନ୍ତି।