ଥୁଆମୂଳ ରାମପୁର, ୧୦।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ଅଞ୍ଚଳରେ ଦିନକୁ ଦିନ ନୀଳଗିରି (Eucalyptus) ଚାଷ ବୃଦ୍ଧି ପାଇବାରେ ଲାଗିଛି । ଏହି ଚାଷକୁ ନେଇ ଉଭୟ ଉତ୍ସାହ ଏବଂ ଆଶଙ୍କା ଦେଖାଦେଇଥିବା ବେଳେ ପ୍ରଶାସନ ଓ ପରିବେଶବିତ୍ଙ୍କ ମଧ୍ୟରେ ଏକ ଭିନ୍ନ ଚିତ୍ର ସାମ୍ନାକୁ ଆସିଛି । ଏହି ପ୍ରସଙ୍ଗରେ ସ୍ଥାନୀୟ ବନାଞ୍ଚଳ ଅଧିକାରୀ (Ranger) ତ୍ରିନାଥ ସେଠୀଙ୍କ କହିବା ଅନୁଯାୟୀ, ରାଜ୍ୟ ସରକାର ନୀଳଗିରି ଚାଷ ଉପରେ କୌଣସି ସିଧାସଳଖ କଟକଣା ଜାରି କରିନାହାଁନ୍ତି । ଚାଷୀମାନେ ନିଜର ଅର୍ଥନୈତିକ ସ୍ଥିତି ସୁଦୃଢ଼ କରିବା ପାଇଁ ଏହି ଚାଷ କରିପାରିବେ, ମାତ୍ର ଏହାକୁ ମୁଖ୍ୟ ଚାଷ ଜମିରେ ନୁହେଁ ବରଂ ଅନାବାଦୀ କିମ୍ବା ବାଡ଼ କଡ଼ରେ ଲଗାଇବାକୁ ପରାମର୍ଶ ଦିଆଯାଇଛି।
ଚଳିତ ବର୍ଷ କଳାହାଣ୍ଡି ଜିଲାପାଳ ମଧ୍ୟ ପ୍ରତି ନର୍ସରିରେ ୧୦% ନୀଳଗିରି ଚାରା ପ୍ରସ୍ତୁତ କରି ଲୋକଙ୍କୁ ବାଣ୍ଟିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହାଦ୍ୱାରା ଲୋକେ ନିଜର ଘରୋଇ ଉପକରଣ ଓ ଆବଶ୍ୟକତା ପାଇଁ ଏହାର ବ୍ୟବହାର କରିପାରିବେ। ତେବେ ଏହା ମଧ୍ୟରେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି । Environment Department of India (IG) ପକ୍ଷରୁ ପୂର୍ବରୁ ଏକ ପତ୍ର ଜାରି କରାଯାଇଥିଲା ଯେ, ନୀଳଗିରି ଲଗାଇବା ଦ୍ୱାରା ଭୂତଳ ଜଳସ୍ତର (Groundwater Level) ଦ୍ରୁତ ଗତିରେ ହ୍ରାସ ପାଉଛି ଏବଂ ଏହାର ପତ୍ର ମାଟିରେ ପଡ଼ି ଅନ୍ୟ ଚାଷ ପାଇଁ ବାଧା ସୃଷ୍ଟି କରୁଛି । ଏହି ନିର୍ଦ୍ଦେଶ ପରେ ସମସ୍ତ ସରକାରୀ ସଂସ୍ଥା ନୀଳଗିରି ସମ୍ପର୍କିତ ବଡ଼ ଧରଣର ପ୍ରକଳ୍ପ ବନ୍ଦ କରିଦେଇଛନ୍ତି । ସରକାରୀ କଟକଣା ନଥିବାର ସୁଯୋଗ ନେଇ ବିଭିନ୍ନ ବେସରକାରୀ କମ୍ପାନୀମାନେ ଚାଷୀଙ୍କୁ ଋଣ ଏବଂ ଅଧିକ ପଇସାର ଲୋଭ ଦେଖାଇ ବ୍ୟାପକ ଭାବେ ଏହି ଗଛ ଲଗାଉଛନ୍ତି ।
କମ୍ପାନୀଗୁଡ଼ିକ ଚାଷୀଙ୍କ ମାଧ୍ୟମରେ ‘ଚାଷ’ର ରୂପ ଦେଇ ବ୍ୟବସାୟ କରୁଛନ୍ତି, ଫଳରେ ସେମାନଙ୍କୁ କୌଣସି ଆଇନଗତ ବାଧା ରହୁନାହିଁ । ଚାଷୀଙ୍କୁ ମାତ୍ର କିଛି ଟଙ୍କା ମିଳୁଥିବା ବେଳେ ଏହି ବେସରକାରୀ ସଂସ୍ଥାଗୁଡ଼ିକ କୋଟି କୋଟି ଟଙ୍କାର କାଠ ବାହାର ରାଜ୍ୟକୁ ଚାଲାଣ କରୁଛନ୍ତି । ଅଞ୍ଚଳରେ ନୀଳଗିରି ଚାଷ ପାଇଁ କୌଣସି ସ୍ପଷ୍ଟ ନିୟମାବଳୀ ନଥିବାରୁ ଏବଂ ଚାଷୀ ନିଜ ଜମିରେ ଏହା କରୁଥିବାରୁ ପ୍ରଶାସନ ଏଥିରେ ହସ୍ତକ୍ଷେପ କରିବା କଷ୍ଟକର ହେଉଛି । ଯଦିଓ ନୀଳଗିରି ଚାଷ ଦ୍ୱାରା ତତ୍କାଳୀନ ଅର୍ଥ ମିଳୁଛି, କିନ୍ତୁ ଅଣ-ଓଡ଼ିଆ କମ୍ପାନୀଙ୍କ ମାଧ୍ୟମରେ ହେଉଥିବା ଏହି ବ୍ୟାପକ ବୃକ୍ଷରୋପଣ ଥୁଆମୂଳ ରାମପୁରର ଭୂତଳ ଜଳ ସମ୍ପଦକୁ ନଷ୍ଟ କରିଦେବ । ଚାଷୀମାନେ ଅନ୍ଧ ଭାବେ କମ୍ପାନୀର ଶିକାର ନହୋଇ ପରିବେଶ ସୁରକ୍ଷା ପ୍ରତି ସଚେତନ ହେବା ଜରୁରୀ । ସରକାରଙ୍କ ପରାମର୍ଶ ଅନୁଯାୟୀ ଏହାକୁ କେବଳ ସୀମିତ ଘରୋଇ ବ୍ୟବହାରରେ ରଖିବା ହିଁ ଶ୍ରେୟସ୍କର ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।

