ଖଣ୍ଡପଡ଼ା,୧୯ା୧୦(ଅଜୟ କୁମାର ମହାରଣା): ବହୁ ଆଶା ବିଶ୍ୱାସ ନେଇ ଦୂର ଦୂରାନ୍ତରୁ ଆସୁଥିବା ଅନେକ ବୟସ୍କ, ଭିନ୍ନକ୍ଷମ ତଥା ଅସୁସ୍ଥ ବ୍ୟକ୍ତି ନୀଳମାଧବ ଜୀଉଙ୍କୁ ଦର୍ଶନ କରି ନପାରି ମନସ୍ତାପରେ ଅସନ୍ତୋଷ ହୋଇ ଫେରୁଥିବା ପରିଲକ୍ଷିତ ହେଉଛି । ସମ୍ପ୍ରତି ଶାରଦୀୟ ପୂଜା ଅବସରରେ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ପର୍ଯ୍ୟଟକ, ଶ୍ରଦ୍ଧାଳୁ ଭକ୍ତ ଜଗନ୍ନାଥ ସଂସ୍କୃତିର ଆଦି ଦେବତା ନୟାଗଡ଼ ଜିଲା ଅଧିନ କଣ୍ଟିଲୋ ବିଜେ ପ୍ରଭୁ ଶ୍ରୀ ନୀଳମାଧବ ଜୀଉଙ୍କ ଦର୍ଶନରେ ଆସୁଛନ୍ତି । ଜିଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ କଣ୍ଟିଲୋ ଶ୍ରୀନୀଳମାଧବଙ୍କ ପୀଠର ବ୍ରହ୍ମାଦ୍ରୀ ଓ ପଦ୍ମାଦ୍ରୀ ପାହାଡ ଉପରେ ବିରାଜମାନ ହୋଇଥିବା ଶ୍ରୀଜୀଉଙ୍କ ଦର୍ଶନ ନିମନ୍ତେ ବିଶେଷ କରି ବୟସ୍କ ଅବା ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଇଁ ଲିଫ୍ଟ ସ୍ଥାପନ କରାଯାଇଛି । ମାତ୍ର ଏହାକୁ କାର୍ଯ୍ୟକ୍ଷମ କରାଯାଇ ପାରୁନି ।
ତେବେ କୋଟି କୋଟି ଟଙ୍କାର ଆର୍ଥିକ ଅନୁଦାନରେ ନୀଳ ମାଧବ ପୀଠର ବିକାଶ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି । ଏ ପ୍ରକଳ୍ପ ମଧ୍ୟରେ ପର୍ଯ୍ୟଟକଙ୍କ ପାଇଁ ମନ୍ଦିରର ପଶ୍ଚିମ ପାର୍ଶ୍ୱରେ ଏକ ଲିଫ୍ଟ ପ୍ରତିଷ୍ଠା କରାଯାଇଛି । ନିର୍ମାଣର ଏକ ବର୍ଷ ପରେ ଏହାକୁ କାର୍ଯ୍ୟକ୍ଷମ କରାଯାଇ ଗତ ଜୁଲାଇ ୧୪ ତାରିଖରେ ଖଣ୍ଡପଡ଼ା ତହସିଲଦାର ତଥା ଦେବୋତ୍ତର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶ୍ୱ ବିଶୃତ୍ ତ୍ରିପାଠୀଙ୍କ ଉପସ୍ଥିତିରେ ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଏହାକୁ ଉଦଘାଟନ କରିବାରେ ସାଧାରଣରେ ଆନନ୍ଦ ପ୍ରକାଶ ପାଇଥିଲା । କିଛିଦିନ ଲିଫ୍ଟ ମାଧ୍ୟମରେ ପର୍ଯ୍ୟଟକ ତଥା ବୟସ୍କ ବ୍ୟକ୍ତିମାନେ ୭୦ ଫୁଟ ଉଚ୍ଚ ପାହାଡ ଉପରକୁ ସୁବିଧାରେ ଯାଇ ଶ୍ରୀଜୀଉଙ୍କ ଦର୍ଶନ ଲାଭ କରି ଆନନ୍ଦ ଅନୁଭବ କରି ଫେରୁଥିଲେ । ମାତ୍ର ପରବର୍ତ୍ତୀ ସମୟରେ ବିଭିନ୍ନ କାରଣ ଦର୍ଶାଇ ଲିଫ୍ଟକୁ ବନ୍ଦ କରିଦିଆଯାଇଥିବା ଜଣାପଡ଼ିଛି ।
ଏ ପରିପ୍ରେକ୍ଷୀରେ ରବିବାର ଅପରାହ୍ନରେ ଜଣେ ୭୦ ବର୍ଷରୁ ଉର୍ଦ୍ଧ୍ବ ଭିନ୍ନକ୍ଷମ ମହିଳା ସେମାନଙ୍କ ପରିବାର ସହ ସୁଦୂର ପଶ୍ଚିମବଙ୍ଗ ମେଦିନାପୁରରୁ ଶ୍ରୀ ଜୀଉଙ୍କ ଦର୍ଶନ ପାଇଁ ଆସି ଲିଫ୍ଟ ବନ୍ଦ ହେବା ଜାଣି ଦୁଃଖରେ ଭାଙ୍ଗି ପଡ଼ିଥିଲେ । ତେବେ କେତେକ ଯୁବକଙ୍କୁ ଅନୁରୋଧ କରିବାରେ ପରିଶ୍ରମ ବାବଦରେ କିଛି ଆର୍ଥିକ ରାଶି ନେଇ ଏକ କାଠ ଚୌକିରେ ବୃଦ୍ଧାଙ୍କୁ ବସାଇ ନେବା ପରିଲକ୍ଷିତ ହୋଇଥିଲା । ଦର୍ଶନ ସାରିବା ପରେ ପୁନର୍ବାର ସେହିପରି ଚେୟାରରେ ବସାଇ ତଳକୁ ଆଣିଥିଲେ। ଭକ୍ତଜଣଙ୍କ କୃତଜ୍ଞତା ସ୍ୱରୂପ ସେହି ଯୁବକମାନଙ୍କୁ କିଛି ଅର୍ଥ ରାଶି ଦେଇଥିଲେ ସିନା, ମାତ୍ର ପ୍ରଶାସନର ଚରମ ଅବହେଳାକୁ ନେଇ ତୀବ୍ର କ୍ଷୋଭ ପ୍ରକାଶ କରିଛନ୍ତି। ତେବେ ଲିଫ୍ଟ ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିଲେ ବି କାହା ଅପାରଗତାରୁ ଏହା କାର୍ଯ୍ୟକ୍ଷମ ହେଉନାହିଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦୂରଦୂରାନ୍ତରୁ ବହୁ ଆଶା ନେଇ ଆସୁଥିବା ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଭକ୍ତମାନେ ପ୍ରତିଦିନ ଏଭଳି ନାକେଦମ୍ ହେଉଛନ୍ତି। ଲିଫ୍ଟ ସେବାକୁ ନିୟମିତ ଓ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ସ୍ଥାନୀୟ ବିଧାୟକ, ଜିଲାପାଳ ଓ ଦେବୋତ୍ତର ବିଭାଗ ତୁରନ୍ତ ହସ୍ତକ୍ଷେପ କରିବାକୁ ପୂଜକ ସମାଜ, ସ୍ଥାନୀୟ ବାସିନ୍ଦା ଏବଂ ଭକ୍ତମାନେ ଦାବି କରିଛନ୍ତି । ତେବେ ଏ ସମ୍ପର୍କରେ ଦେବୋତ୍ତର କାର୍ଯ୍ୟ ନିର୍ବାହୀ ତଥା ଖଣ୍ଡପଡ଼ା ତହସିଲଦାରଙ୍କ ସହ ଯୋଗାଯୋଗ କରିବାରେ ଏ ପର୍ଯ୍ୟନ୍ତ ବିଦ୍ୟୁତ୍ (ଜି ଇ ଡି)ବିଭାଗ ସେଫ୍ଟି (ସୁରକ୍ଷା)ସାଟିଫିକେଟ ଦେଇନାହିଁ । ଏହାଛଡ଼ା ଏଠାରେ ଏକ ଉଚ୍ଚଶକ୍ତି ସମ୍ପନ୍ନ ଡିଜି ଲାଗିବାର ବ୍ୟବସ୍ଥା କରାଯାଉଛି । ଯାହାକି ଖୁବ୍ ଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ସେ କହିଛନ୍ତି ।