ଆରପାରିରେ ଶିକ୍ଷାବିତ୍‌ ନୀଳାଚଳ ମିଶ୍ର

ବଲାଙ୍ଗୀର ଅଫିସ/ପାଟଣାଗଡ, ୪ା୧୨ (ଡି.ଏନ୍‌.ଏ.)
ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ତଥା ବିଶିଷ୍ଟ ସଂସ୍କୃତି ସଙ୍ଗଠକ ଡ. ନୀଳାଚଳ ମିଶ୍ର (୮୧)ଙ୍କ ଗୁରୁବାର ସକାଳେ ତାଙ୍କ ପାଟଣାଗଡସ୍ଥିତ ବାସଭବନରେ ପରଲୋକ ଘଟିଛି। ତାଙ୍କର ଦୁଇପୁଅ, ବୋହୂ, ୩ ଝିଅ, ଜ୍ୱାଇଁ, ନାତିନାତୁଣୀ ଅଛନ୍ତି ା ପାଟଣାଗଡ ସ୍ବର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ବଡପୁଅ ଲକ୍ଷ୍ମୀକାନ୍ତ ମିଶ୍ର ମୁଖାଗ୍ନି ଦେଇଥିଲେ ା
୧୯୩୯ ମସିହା ଏପ୍ରିଲ ୧୭ରେ ବଲାଙ୍ଗୀର ନିକଟ ତୁଲଣ୍ଡିଠାରେ ଜନ୍ମଗ୍ରହଣ କରିଥିଲେ ଡା. ନୀଳାଚଳ ମିଶ୍ର। ୧୯୬୧ ମସିହାରୁ ବିଭିନ୍ନ ହାଇସ୍କୁଲରେ ଶିକ୍ଷକ ଓ ପ୍ରଧାନଶିକ୍ଷକଭାବେ କାର୍ଯ୍ୟ କରିବା ପରେ ୧୯୬୮ରେ ପାଟଣାଗଡ ଜବାହରଲାଲ ମହାବିଦ୍ୟାଳୟରେ ଓଡିଆ ଭାଷା ଓ ସାହିତ୍ୟ ବିଭାଗ ଅଧ୍ୟାପକ ଭାବେ ଯୋଗଦେଇଥିଲେ। ୧୯୯୯ ମସିହାରେ ସେ ବେଲପଡା କଲେଜର ଅଧ୍ୟକ୍ଷ ଭାବେ ଅବସର ଗ୍ରହଣ କରିଥିଲେ। ସ୍ବର୍ଗତ ଡ. ମିଶ୍ର ସମ୍ବଲପୁର ବିଶ୍ୱବିଦ୍ୟାଳୟର ସିନେଟ୍‌, କଳା ଓ ଶିକ୍ଷା ବିଭାଗ, କଲେଜ ଉନ୍ନୟନ ପରିଷଦର ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ। ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓଡିଆ ବିଭାଗର ବୋର୍ଡ ଅଫ୍‌ ଷ୍ଟଡିଜ୍‌ ଏବଂ କଣ୍ଡକ୍‌ଟିଂ ବୋର୍ଡ ଅଫ୍‌ ଏକ୍‌ଜାମିନର୍ସର ସଦସ୍ୟ ରହିଥିଲେ। ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ୱ କାଳ ସେ ପାଟଣାଗଡ ସାଂସ୍କୃତିକ ପରିଷଦର ସଭାପତି ରହିଥିଲେ। ଏହା ସହିତ ରବିବାସରୀୟ ସାହିତଚକ୍ର, ପାଟଣେଶ୍ୱରୀ ସାହିତ୍ୟ ସଂସଦର ସଭାପତି ଏବଂ ଅଶୋକ ଚନ୍ଦନ ସ୍ମୃତି ସମିତିର ଉପସଭାପତି ରହିଥିଲେ। ଜଣେ ଉଚ୍ଚକୋଟୀର ସାହିତି୍ୟକ ଓ ସଂସ୍କୃତି ଗବେଷକଭାବେ ତାଙ୍କର ସୁନାମ ରହିଥିଲା ା ତାଙ୍କର ବହୁ ପ୍ରବନ୍ଧ, ଆଲୋଚନା, ସମାଲୋଚନା, ସାକ୍ଷାତକାର ଓ କବିତା ଅନେକ ପତ୍ରପତ୍ରିକାରେ ପ୍ରକାଶିତ । ତାଙ୍କର କବିତା ସଙ୍କଳନ ହେ ସାରଥି ଲେଉଟାଅ ରଥ ଖୁବ୍‌ ଲୋକପ୍ରିୟତା ହାସଲ କରିଥିଲା ା ଓଡିଶାରେ ମିନି ସାହିତ୍ୟ ଆନ୍ଦୋଳନର ସେ ଜଣେ ଆଗଧାଡିର ସଦସ୍ୟ ଭାବେ ପରିଚିତ ଥିଲେ। ତାଙ୍କରି ସମ୍ପାଦନାରେ ମିନି ସାହିତ୍ୟ ପତ୍ରିକା କୋଶଳିକା ପ୍ରକାଶ ପାଉଥିଲା। ହରିଶଙ୍କର ପତ୍ରିକାର ଉପଦେଷ୍ଟା ଓ ପାଟଣା ସୌରଭର ସେ ମୁଖ୍ୟ ସମ୍ପାଦକ ଥିଲେ ା ବଲାଙ୍ଗୀର ଆକାଶବାଣୀ କେନ୍ଦ୍ରରୁ ପ୍ରସାରିତ ଲୋକପ୍ରିୟ ଶୁଣିମା ହେଉ କାର୍ଯ୍ୟକ୍ରମରେ ତାଙ୍କ ବହୁ ଲେଖା ପ୍ରସାରିତ। ତାଙ୍କର ଉପାଦେୟ ଗବେଷଣାତ୍ମକ ସନ୍ଦର୍ଭ କାହ୍ନୁଚରଣଙ୍କ ଉପନ୍ୟାସର ଚରିତ୍ରାନୁଶୀଳନ ପ୍ରକାଶନ ଅପେକ୍ଷାରେ ରହିଛି ା ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି।