ଗଞ୍ଜାମ,୫।୮ (ବିଦ୍ୟାଧର ସାହୁ ): ଗରିବ ଜନ ସାଧାରଣଙ୍କ ପାଇଁ ସରକାର କେତେ କଣ ଯୋଜନା କରିଛନ୍ତି । କିନ୍ତୁ କିଛି ଯୋଜନା ଲୋକଙ୍କ ପାଖରେ ପହଞ୍ଚି ପାରୁନି । ଜନ ପ୍ରତିନିଧି ଓ ପ୍ରଶାସନର ଉଦାସନିୟତା ଯୋଗୁ ଅସୁବିଧା ଭୋଗ କରୁଛନ୍ତି ନିଷ୍ପେସିତ ପରିବାର ।ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ବ୍ଲକ ଲୁଙ୍ଗୁରି ଗ୍ରାମରେ। ଖାଇବାକୁ ଦିନକୁ ଦୁଇ ମୁଠା ମିଳିଲେ ମଧ୍ୟ ରହିବାପାଇଁ ବାସସ୍ଥାନ ଟିଏ ନାହିଁ । ଯାହା ଫଳରେ ଦିଗଭରା ପାଲଟିଛି ନୀଳାଚଳଙ୍କ ଜୀବନ । ଏହି ଘଟଣା କଉ ଆଦିବାସୀ ଅଞ୍ଚଳର ନୁହଁ କିମ୍ବା କଉ ବଣ ପାହାଡ଼ ଅଞ୍ଚଳର ନୁହଁ , ଏହି ଘଟଣା ହେଉଛି ଖୋଦ ଗଞ୍ଜାମ ବ୍ଲକ ମଲାଡ ପଞ୍ଚାୟତ ଅନ୍ତର୍ଗତ ଲୁଙ୍ଗୁରୀ ଗ୍ରାମର । ଦୀର୍ଘ ୨୦ ବର୍ଷରୁ ଅଧିକ ଦିନ ନୀଳାଚଳ ସାହୁ ଲିଙ୍ଗୁରି ଗ୍ରାମର ରାସ୍ତାକଡରେ ଗୋଟିଏ ନଡ଼ିଆ ବଙ୍ଗା ଓ ଜରି ପାଲ କରି ବିତାଉଛନ୍ତି ଜୀବନ। ପରିବାର କହିଲେ ସ୍ବାମୀ ସ୍ତ୍ରୀ ଓ ଦୁଇ ଝିଅ ଏହି ରାସ୍ତା କଡ଼ରେ ସେମାନେ ତାଙ୍କର ପରିବାର ପ୍ରତିପୋଷଣ କରିବା ପାଇଁ ଦିନକୁ ଦୁଇ ଓଳା ଦୁଇ ମୁଠା ଖାଇବା ପାଇଁ ଜଳଖିଆ ଦୋକାନ କରି ନିଜ ପରିବାର ଗୁଜୁରାଣ ମେଣ୍ଟାଉଛନ୍ତି । କିନ୍ତୁ ଏହି ପରିବାର ଉପରେ କାହାର ନଜର ପଡୁନାହିଁ । ଆଜିର ଦିନରେ ଖାଲି ଖାଇବାକୁ ମିଳିଗଲେ ହେବ ନାହିଁ ରହିବା ପାଇଁ ଘର ଖଣ୍ଡେ ମିଳିଲେ ଭଲ ହୋଇଥାନ୍ତା ବୋଲି ନୀଳାଚଳଙ୍କ ମନରେ ପ୍ରଶ୍ନ । ଖରା ବର୍ଷାରେ ସେଇ ପାଲ କୁଡ଼ିଆ ତାଙ୍କର ଜୀବନ । ଘରଟିଏ ପାଇଁ ସେ ବହୁ ଥର ପଞ୍ଚାୟତ କାର୍ଯ୍ୟଳୟ ହେଉ କିମ୍ବା ଗଞ୍ଜାମ ବ୍ଲକ କାର୍ଯ୍ୟାଳୟ ଯାଇ ଘର ପାଇଁ ଆବେଦନ କଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ପୂର୍ବ ସରକାରରେ ମଧ୍ୟ ସେ ଘର ଖଣ୍ଡିଏ ପାଇଁ ଅଭିଯୋଗ କରିଥିଲେ କିନ୍ତୁ ଏଥିପ୍ରତି କେହି ଦୃଷ୍ଟି ଦେଉନଥିବା ନୀଳାଚଳ କହିଛନ୍ତି । ଶେଷରେ ଦିଗହରା ହୋଇ ଦୀର୍ଘ ବର୍ଷ ହେଲା ପରେ ବି କୌଣସି ବିଧାୟକ ଶୁଣି ନାହାଁନ୍ତି । ତାଙ୍କ ଦୁଃଖ ଶୁଣିବାକୁ ସେ ନିବେଦନ କରିଛନ୍ତି । ତେଣୁ ସେ ଗଞ୍ଜାମ ଜିଲାପାଳ ଓ ସ୍ଥାନୀୟ ପ୍ରଶାସନକୁ ଅନୁରୋଧ କରି କହିଛନ୍ତି, ଘର ଖଣ୍ଡେ ଦେଲେ ଅଧା ଦୁଃଖ ଚାଲିଯିବ।