ବହୁଚର୍ଚ୍ଚିତ ନିକିତା ହତ୍ୟା ମାମଲା; ସ୍ବାମୀ ଲିପନ ସାହୁଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି

କଟକ,୧୦।୧୧(ପ୍ରଭୁକଲ୍ୟାଣ ପାଲ୍): ବହୁ ଚର୍ଚ୍ଚିତ ଅଭିନେତ୍ରୀ ନିକିତା ମର୍ଡର ମାମଲାରେ ଅଭିଯୁକ୍ତ ଲିପନ ସାହୁଙ୍କୁ ସାମୟିକ ଆଶ୍ବସ୍ତି ମିଳିଛି । ଏକ ସପ୍ତାହ ଅନ୍ତରୀଣ ଜାମିନ ମଞ୍ଜୁର କଲେ ହାଇକୋର୍ଟ । କଟକ ଜିଲା ଦୌରା ଅଦାଲତ ସ୍ୱାମୀ ଲିପନ ସାହୁଙ୍କୁ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ପରେ ଏହି ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଲିପନ । ହାଇକୋର୍ଟରେ ମାମଲା ବିଚାରଧରିଧୀନ ରହିଥିଲା ବେଳେ ଜାମିନ ପାଇଁ ଅନ୍ତରୀଣ ଆବଦେନ କରିଥିଲେ ଅଭିଯୁକ୍ତ ଲିପନ ସାହୁ ।

ଖବର ଅନୁସାରେ, ୨୦୧୬ ମସିହାରେ ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବିଶ୍ୱାଳ ଓରଫ (ନିକିତା)ଙ୍କୁ ବିବାହ କରିଥିଲେ ଲିପନ ସାହୁ । ବହୁ ମାନ୍ୟଗଣ୍ୟଙ୍କ ଉପସ୍ଥିତିରେ କଟକ ମହାନଦୀବିହାର ସ୍ଥିତ ସେଲିବ୍ରେସନ ମଣ୍ଡପରେ ହିନ୍ଦୁ ରୀତିନୀତିରେ ନିକିତାଙ୍କୁ ବିବାହ କରିଥିଲେ । କିନ୍ତୁ ବିବାହର କିଛି ଦିନ ପରେ ନିକିତାଙ୍କ ଉପରେ ଉଭୟ ଶାରୀରିକ ଓ ମାନସିକ ଅତ୍ୟାଚାର କରୁଥିବା ଓ ନିକିତାଙ୍କ ଫିଲ୍ମରୁ ମିଳୁଥିବା ପାରିଶ୍ରମିକ ଯେତିକି ରହିଥିଲା ତାହାଠୁ ଅଧିକ ଆବଶ୍ୟକ କରି ତାଙ୍କୁ ଅତ୍ୟାଚାର କରୁଥିଲେ ଶାଶୂଘର ଲୋକେ । ଏନେଇ ନିକିତା ଅଭିଯୋଗ କରିଥିଲେ । ନିକିତା ଗର୍ଭବତୀ ହେବାପରେ ମାନସିକ ଶାନ୍ତି ପାଇବା ପାଇଁ ଭୁବନେଶ୍ବର ଏକ ଭଡାଘରେ ରହୁଥିଲେ। କିନ୍ତୁ ୩ ମାସ ପରେ ଆର୍ଥିକ ଅନାଟନ ଦୃଷ୍ଟିକୋଣରୁ ଭଡା ଘର ଛାଡ଼ି ନିଜ ଘରକୁ ଫେରିଥିଲେ ନିକିତା।କିନ୍ତୁ ତାଙ୍କ ଉପରେ ପୂର୍ବ ପରି ଅତ୍ୟାଚାରରେ ବ୍ରେକ ଲାଗି ନଥିଲା ବରଂ ଅଧିକ ବଢିଥିଲା ।

୨୦୧୮ରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେବା ପରେ ସ୍ୱାମୀଙ୍କ ସହ ଶ୍ୱଶୁରଘରକୁ ଯାଇଥିବାବେଳେ ସେଠାରେ ହଠାତ୍ ବିବାଦ ସୃଷ୍ଟି ହୋଇଥିଲା । ୨୦୧୯ ଜାନୁଆରୀ ୪ରେ ସନ୍ଧ୍ୟାରେ ଉଭୟ ସ୍ୱାମୀ ସ୍ତ୍ରୀ ଛାତ ଉପରକୁ ଯିବା ପରେ ଓ ଛାତ ଉପରୁ ନିକିତାଙ୍କୁ ତଳକୁ ଠେଲି ଦେଇଥିଲେ ସ୍ୱାମୀ ଲିପନ । ଏହାପରେ ଆହତ ଅବସ୍ଥାରେ ନିକିତାଙ୍କୁ ଘର ପାଖରେ ଥିବା ଘରୋଇ ହସ୍ପିଟାଲ ପରେ କଟକ ଏସ୍‌ସିବି ମେଡିକାଲ୍‌କୁ ନିଆଯାଇଥିଲା। କିନ୍ତୁ ସ୍ବାସ୍ଥ୍ୟଵସ୍ଥା ବିଗିଡିବାରୁ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ୱାମୀ ଓ ଶ୍ୱଶୁରଘର ଲୋକମାନେ ଧକ୍କା ଦେଇ ଝିଅକୁ ହତ୍ୟା କରିଥିବା ଚଉଳିଆଗଞ୍ଜ ଥାନାରେ ମାମଲା ରୁଜୁ କରିଥିଲେ ନିକିତାଙ୍କ ପରିବାର । ପୋଲିସ ଏହି ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କିନ୍ତୁ କଟକ ତୃତୀୟ ଅତରିକ୍ତ ଜିଲା ଦୌରାଜଜ ଅଦାଲତ ମାମଲାର ଶୁଣାଣି କରି ଲିପନଙ୍କ ବାପାମାଆ ଲିଙ୍ଗରାଜ ସାହୁ ଓ କୁନ୍ତଳା ସାହୁ ଙ୍କୁ ନିର୍ଦୋଷରେ ଖଲାସ କରିଥିଲା ବେଳେ ଲିପନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।

 

Dharitri – Odisha’s No.1 Odia Daily

Share