Categories: ଜାତୀୟ

ଆତଙ୍କବାଦୀ ତାଲିମ ଶିବିର ଚଳାଇଥିଲେ ନିଜ୍ଜର

ନୂଆଦିଲ୍ଲୀ,୨୪ା୯: ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ହରଦୀପ୍‌ ସିଂ ନିଜ୍ଜରଙ୍କ ହତ୍ୟାକୁ ନେଇ ଭାରତ ଓ କାନାଡା ମଧ୍ୟରେ ବିବାଦ ତୀବ୍ର ହୋଇଛି। ତେବେ ନିଜ୍ଜର ଧର୍ମୀୟ କିମ୍ବା ସାମାଜିକ ବ୍ୟକ୍ତିତ୍ୱ ନୁହନ୍ତି, ସେ ଆତଙ୍କବାଦୀମାନଙ୍କ ପାଇଁ ତାଲିମ ଶିବିର ଚଳାଇବା ସହ ଆତଙ୍କବାଦ କାର୍ଯ୍ୟ ପାଇଁ ପାଣ୍ଠି ଯୋଗାଉଥିଲେ ବୋଲି ଏକ ସୂତ୍ରରୁ କୁହାଯାଇଛି। ବେଆଇନ ଖଲିସ୍ତାନୀ କମାଣ୍ଡୋ ଫୋର୍ସର ଗୁର୍‌ଦୀପ ସିଂ ଓରଫ ଦୀପା ହେରାନ୍‌ଓ୍ବାଲାଙ୍କ ଘନିଷ୍ଠ ସହଯୋଗୀ ଥିଲେ ନିଜ୍ଜର। ନିଶା ଚୋରା କାରବାର ଏବଂ ବଟି ଆଦାୟ ଆଦି ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ନିଜ୍ଜର ଗିରଫ ଭୟରେ ୧୯୯୬ରେ କାନାଡ଼ା ପଳାଇଥିଲେ। କାନାଡାରେ ସେ ଆତଙ୍କବାଦୀ କାର୍ଯ୍ୟ ପାଇଁ ପାଣ୍ଠି ଯୋଗାଡ଼ କରୁଥିଲେ ଓ ଭାରତରେ ଆକ୍ରମଣ ପାଇଁ ବ୍ରିଟିଶ କଲମ୍ବିଆରେ ଏକ ଆତଙ୍କବାଦ ତାଲିମ ଶିବିର ଚଳାଇଥିଲେ। ସେ ଆତଙ୍କବାଦୀ ସଂଗଠନ ଖଲିସ୍ତାନ ଟାଇଗର ଫୋର୍ସର ଅପରେଶନ ମୁଖ୍ୟ ଭାବେ କାର୍ଯ୍ୟ କରିଆସୁଥିଲେ। ୨୦୧୨ରେ ସେ ପାକିସ୍ତାନରେ ବାବର ଖାଲ୍‌ସା ଇଣ୍ଟରନ୍ୟାଶନାଲ୍‌ର ମୁଖ୍ୟ ଜଗତରସିଂ ତାରାଙ୍କୁ ଭେଟିଥିଲେ। ତାରା ତାଙ୍କୁ ଅସ୍ତ୍ର ଯୋଗାଇବା ସହ ଆଇଇଡି ପ୍ରସ୍ତୁତିର ତାଲିମ ଦେଇଥିଲେ। ତାରାଙ୍କ ନିର୍ଦ୍ଦେଶରେ ୨୦୧୪ରେ ନିଜ୍ଜର ହରିୟାଣାର ସିର୍ସାସ୍ଥିତ ଡେରା ସଚା ସୌଦା ମୁଖ୍ୟାଳୟ ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା କରିଥିଲେ। ତେବେ ଭିଜା ନ ମିଳିବାରୁ ଯୋଜନା ସଫଳ ହୋଇ ନ ଥିଲା। ଏନ୍‌ଆଇଏ ତାଙ୍କ ବିରୋଧରେ ଅନେକ ମାମଲା ରୁଜୁ କରିବା ସହ ଇଣ୍ଟରପୋଲ୍‌ ରେଡ୍‌ କର୍ନର ନୋଟିସ୍‌ ଜାରି କରିଥିଲା। ନିଜ୍ଜର କାନାଡ଼ାରେ ଭାରତ ବିରୋଧୀ ବିକ୍ଷୋଭ ଚଳାଇବା ସହ ଭାରତୀୟ କୂଟନୀତିଜ୍ଞମାନଙ୍କୁ ଧମକ ଦେଇଥିଲେ।

Share