ଦିଲ୍ଲୀରୁ ନାଇଜେରୀୟ ଦମ୍ପତି ଗିରଫ

ବାଲେଶ୍ୱର ଅଫିସ,୨୮।୮: ବାଲେଶ୍ୱର ସହରର ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ହନିଟ୍ରାପରେ ଫସାଇ ୩୦ଲକ୍ଷ ଟଙ୍କା ଠକେଇ କରିବା ମାମଲାରେ ଏକ ନାଇଜେରୀୟ ଦମ୍ପତିଙ୍କୁ ସାଇବର ଥାନା ପୋଲିସ ଦିଲ୍ଲୀରୁ ଗିରଫ କରିଛି। ପୂର୍ବରୁ ଏହି ଘଟଣାରେ ସାମସନ୍‌ ଇମିକେ ଏଲିକା ନାମକ ଜଣେ ନାଇଜେରୀୟ ଯୁବକଙ୍କୁ ପୋଲିସ ଗିରଫ କରିଥିଲା। ତାଙ୍କ ବୟାନକୁ ଆଧାର କରି ଏହି ଦମ୍ପତିଙ୍କୁ ଗିରଫ କରାଯାଇଥିବା ଶନିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ବାଲେଶ୍ୱର ସାଇବର ଥାନା ଆଇଆଇସି ମୀନା ବିନ୍ଧାଣି ସୂଚନା ଦେଇଛନ୍ତି। ଗିରଫ ଦମ୍ପତି ହେଲେ ଇମାନୁଏଲ ଏନ୍ନାମନି ଓ ତାଙ୍କ ସ୍ତ୍ରୀ ସୁଚିମ୍‌ ତିଖିର। ଏମାନଙ୍କଠାରୁ ଲାପଟପ୍‌, କାର୍‌, ଭିଜା ନ ଥିବା ଦୁଇଟି ପାସ୍‌ପୋର୍ଟ, ଏସ୍‌ବିଆଇ ପାସ୍‌ବୁକ୍‌, ୨ଟି ସୁନାଚେନ, ଗୋଟିଏ ମୁଦି ଓ ୭ଟି ମୋବାଇଲ ଫୋନ ଜବତ ହୋଇଛି। ଉଭୟଙ୍କୁ ଶନିବାର କୋର୍ଟଚାଲାଣ କରାଯାଇଛି।
ଗିରଫ ୩ ଅଭିଯୁକ୍ତ ସାଇବର ଠକେଇରେ ବେଶ୍‌ ସକ୍ରିୟ ଥିଲେ। ବିଦେଶୀ ନାଗରିକ ହୋଇ ଦିଲ୍ଲୀରେ ବସି ଲୁଟ୍‌ ରାକେଟ ଚଳାଉଥିଲେ। ବିଦେଶୀ ସୁନ୍ଦରୀ ଯୁବତୀଙ୍କ ପରିଚୟ ଦେଇ ଫେସ୍‌ବୁକ୍‌ରେ ସମ୍ପର୍କ ସ୍ଥାପନା କରିବା ପରେ ସମ୍ପର୍କକୁ ନିବିଡ଼ କରି ପ୍ରେମ ଜାଲରେ ଫସାଇବା ଓ ଶେଷରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବିଦେଶୀ ଦାମୀ ଉପହାର ଦେବା ବାହାନାରେ ପୁଣି କଷ୍ଟମ ଅଫିସର ହୋଇ ପାର୍ସଲ୍‌ ବାବଦକୁ କଷ୍ଟମ ଚାର୍ଜ ଦେବାକୁ କହି ଟଙ୍କା ଠକେଇ କରୁଥିଲେ। ବାଲେଶ୍ୱର ସହର ବାଲିଆ ଅଞ୍ଚଳର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ୩୦ଲକ୍ଷ ଟଙ୍କା ଠକେଇର ଶିକାର ହେବା ପରେ ସାଇବର ଥାନା ଦ୍ୱାରସ୍ଥ ହୋଇଥିଲେ। ଏନେଇ ଏକ ମାମଲା (ନଂ. ୪/୨୨) ରୁଜୁ କରି ପୋଲିସ ପ୍ରଥମେ ଅଗଷ୍ଟ ୬ ତାରିଖରେ ଦିଲ୍ଲୀ ପୋଲିସ ସହାୟତାର ସାମସନ୍‌ ଇମିକେ ଏଲିକାଙ୍କୁ ଗିରଫ କରିଥିଲା। ତାଙ୍କଠାରୁ ଗୋଟିଏ ଅବଧି ଶେଷ ହୋଇଥିବା ଭିଜା ସମେତ ଗୋଟିଏ ନକଲି ଭିଜାକୁ ଜବତ କରିଥିଲା। ସେହିପରି ଗୋଟିଏ ଲାପଟପ୍‌ ଜବତ କରିବା ସହ ୬ ଲକ୍ଷ ଟଙ୍କାର ୩ଟି ଆକାଉଣ୍ଟକୁ ଫ୍ରିଜ୍‌ କରିଥିଲା ସାଇବର ପୋଲିସ। ପରେ ଏହି ନେଟଓ୍ବର୍କ ସହ ଆଉ କେଉଁମାନଙ୍କ ଲିଙ୍କ୍‌ ରହିଛି ତାହାର ଅନୁସନ୍ଧାନ କରି ଏକ ସ୍ବତନ୍ତ୍ର ଟିମ୍‌ ଦିଲ୍ଲୀ ଯାଇଥିଲା। ନାଇଜେରୀୟ ଦମ୍ପତିଙ୍କୁ ଦିଲ୍ଲୀର ମଇଦାନଗିରି ନାମକ ଅଞ୍ଚଳର ଏକ ଆପାର୍ଟମେଣ୍ଟରୁ ଗିରଫ କରିବାରେ ସକ୍ଷମ ହୋଇଥିଲା।