Categories: ଖେଳ

ଟି୨୦ ବିଶ୍ୱକପ୍‌ରେ ପ୍ରଦର୍ଶନକୁ ନେଇ ଓ୍ବେଷ୍ଟଇଣ୍ଡିଜ୍‌ ଟିମ୍‌ରେ ଝଡ଼: ଅଧିନାୟକ ପଦ ଛାଡ଼ିଲେ ପୁରାନ୍‌

ନୂଆଦିଲ୍ଲୀ,୨୨।୧୧: ନିକଟରେ ଶେଷ ହୋଇଥିବା ଟି୨୦ ବିଶ୍ୱକପ୍‌ରେ ଓ୍ବେଷ୍ଟଇଣ୍ଡିଜ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ଦଳ ସୁପର-୧୨ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଥିଲା। ବିଶ୍ୱକପ୍‌ ଇତିହାସରେ ପ୍ରଥମ ଥର ଲାଗି ଓ୍ବେଷ୍ଟଇଣ୍ଡଜ୍‌ର ଏଭଳି ବିଫଳତାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। ଏହାର ପରିଣାମ ସ୍ବରୂପ ନିକୋଲାସ ପୁରାନ୍‌ ସୀମିତ ଓଭର ଦଳର ଅଧିନାୟକ ପଦ ଛାଡ଼ିଛନ୍ତି।

ପୁରାନ୍‌ଙ୍କୁ କିରୋନ ପୋଲାର୍ଡଙ୍କ ସ୍ଥାନରେ ସୀମିତ ଓଭର ଓ୍ବେଷ୍ଟଇଣ୍ଡିଜ୍‌ ଟିମ୍‌ର ଅଧିନାୟକ ଭାବେ ନିଯୁକ୍ତ କରାଯାଇଥିଲା। ମାତ୍ର ୬ ମାସ ତଳେ ସେ ଏହି ଦାୟିତ୍ୱ ନେଇଥିଲେ। ମାତ୍ର ବିଶ୍ୱକପ୍‌ ପ୍ରଦର୍ଶନକୁ ନେଇ ସେ ଏହି ଦାୟିତ୍ୱ ଛାଡ଼ିଛନ୍ତି। ଇନ୍‌ଷ୍ଟାଗ୍ରାମରେ ସେ ଏଥିଲାଗି ଲମ୍ବା ପୋଷ୍ଟ ଲେଖିଛନ୍ତି।

ପୁରାନ କହିଛନ୍ତି, ଟି୨୦ ବିଶ୍ୱକପ୍‌ରେ ନିରାଶା ପରେ ମୁଁ ଅଧିନାୟକତ୍ୱ ବିଷୟରେ ବହୁତ କିଛି ଭାବିଲି। ମୁଁ ବହୁତ ଗର୍ବ ଏବଂ ସମର୍ପଣ ଭାବ ସହ ଏହି ଭୂମିକା ତୁଲାଇଥିଲି। ହେଲେ ଅଧିନାୟକ ପଦ ଛାଡ଼ିବା ଦଳ ପାଇଁ ସଠିକ୍‌ ନିଷ୍ପତ୍ତି। ଏହାଦ୍ୱାରା ତାଙ୍କୁ ପରବର୍ତ୍ତୀ ଆଇସିସି ଟୁର୍ନାମେଣ୍ଟ ଲାଗି ପ୍ରସ୍ତୁତ ହେବାକୁ ପର୍ଯ୍ୟାପ୍ତ ସମୟ ମିଳିବ ବୋଲି ପୁରାନ୍‌ କହିଛନ୍ତି।

Share