Categories: ଜାତୀୟ

କଂଗ୍ରେସ ନେତାଙ୍କ ଭିନ୍ନ ପ୍ରତିବାଦ

ନୂଆଦିଲ୍ଲୀ,୨୫।୨: ଦିନକୁ ଦିନ ପେଟ୍ରୋଲ, ଡିଜେଲ ମହଙ୍ଗା ହେଉଥିବା ବେଳେ ରୋଷେଇ ଗ୍ୟାସ ସିଲିଣ୍ଡରର ଦାମ ବଢ଼ିବାରେ ଲାଗିଛି। ଏହାକୁ ବିରୋଧ କରି କଂଗ୍ରେସ ନେତା ଭିନ୍ନ ଏକ ପ୍ରତିବାଦ କରିଛନ୍ତି। ଦିଲ୍ଲୀରେ କଂଗ୍ରେସ ନେତା ଗୁରୁବାର ଦଳୀୟ କାର୍ଯ୍ୟାଳୟରେ ଗ୍ୟାସ ସିଲିଣ୍ଡର ଉପରେ ବସି ଖବରଦାତା ସମ୍ମିଳନୀ କରିଛନ୍ତି। ବଢ଼ୁଥିବା ଦରକୁ ନେଇ କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଥିଲେ। ଏଲ୍‌ପିଜି ଗ୍ୟାସ ମୂଲ୍ୟରେ ବୃଦ୍ଧି ପରେ ଦିଲ୍ଲୀରେ ଅଣ ସବ୍‌ସିଡି ୧୪.୨ କିଲୋଗ୍ରାମ ଗ୍ୟାସ୍‌ ସିଲିଣ୍ଡରର ମୂଲ୍ୟ ୭୬୯ ଟଙ୍କାରୁ ୭୯୪ ଟଙ୍କାକୁ ବୃଦ୍ଧି ପାଇଛି। ଏଥି ସହିତ କୋଲକାତାରେ ସିଲିଣ୍ଡରର ଦାମ ୮୨୦.୫୦ ଟଙ୍କା, ମୁମ୍ବାଇ ୭୯୪ ଟଙ୍କା ଏବଂ ଚେନ୍ନାଇ ୭୬୦ ଟଙ୍କା ରହିଛି। ସୂଚନା ଯୋଗ୍ୟ, ଜାନୁୟାରୀ ମାସରେ ରୋଷେଇ ଗ୍ୟାସ ବଢ଼ି ନ ଥିଲା। ହେଲେ ଚଳିତ ମାସରେ ବର୍ତ୍ତମାନ ସୁଦ୍ଧା ୩ ଥର ଗ୍ୟାସ୍‌ ସିଲିଣ୍ଡର ଦାମ ବଢ଼ିଛି।

Share