Categories: ଜାତୀୟ

ଅଭିଯୁକ୍ତଙ୍କୁ ଦିଲ୍ଲୀ ଆଣିବ ଏନ୍‌ଆଇଏ

ନୂଆଦିଲ୍ଲୀ, ୩୦ା୬: ରାଜସ୍ଥାନ ଉଦୟପୁରର ଦରଜି କହ୍ନେୟାଲାଲ ତେଲିଙ୍କ ହତ୍ୟା ଅଭିଯୁକ୍ତ ରିଆଜ୍‌ ଅଖତାରୀ ଏବଂ ଗୋସ୍‌ ମହମ୍ମଦଙ୍କୁ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍‌ଆଇଏ) ଦିଲ୍ଲୀ ଆଣିବ। ସେଠାରେ ଅନ୍ୟ ଗୋଷ୍ଠୀ ପକ୍ଷରୁ ଅଭିଯୁକ୍ତଙ୍କ ଉପରେ ଆକ୍ରମଣ ଆଶଙ୍କା ଥିବାରୁ ଉଭୟଙ୍କୁ ଦିଲ୍ଲୀ କୋର୍ଟରେ ହାଜର କରାଯିବ ବୋଲି ଏନ୍‌ଆଇଏ ସ୍ଥିର କରିଛି। ପ୍ରଫେଟ ମହମ୍ମଦଙ୍କ ଉପରେ ମନ୍ତବ୍ୟ ଦେଇ ବିବାଦୀୟ ହୋଇଥିବା ଭାଜପା ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କ ସପକ୍ଷରେ ଏକ ସୋସିଆଲ ମିଡିଆ ପୋଷ୍ଟକୁ କେନ୍ଦ୍ର କରି କହ୍ନେୟାଲାଲଙ୍କୁ ହତ୍ୟା କରାଯାଇଛି। ଅଭିଯୁକ୍ତଙ୍କ ପାକିସ୍ତାନ ସହ ଲିଙ୍କ୍‌ ଥିବା ଏବଂ ସେମାନେ ଦାଓ୍ବତ୍‌-ଇ-ଇସ୍‌ଲାମୀ ସଙ୍ଗଠନ ସହିତ ଯୋଗାଯୋଗରେ ଥିବା ଏନ୍‌ଆଇଏ ଜାଣିବାକୁ ପାଇଛି। ତେବେ ପାକିସ୍ତାନ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ପାକିସ୍ତାନକୁ ଦୋଷ ଦେଇ ଭାଜପା ସରକାର ନିଜ ଆଭ୍ୟନ୍ତରୀଣ ସମସ୍ୟାକୁ ମୁକୁଳିବାକୁ ଚେଷ୍ଟା କରୁଥିବା ପାକ୍‌ ବହିର୍ବ୍ୟାପାର କାର୍ଯ୍ୟାଳୟ ମୁଖପାତ୍ର ଅସିମ୍‌ ଇଫ୍‌ତିଖର ଅହମଦ୍‌ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଗୁରୁବାର କହ୍ନେୟାଲାଲଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ୫୦ ଲକ୍ଷ ଟଙ୍କାର ଚେକ୍‌ ଅନୁକମ୍ପା ମୂଳକ ରାଶି ଭାବେ ପ୍ରଦାନ କରିଛନ୍ତି। ଏନ୍‌ଆଇଏ ଖୁବ୍‌ଶୀଘ୍ର ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ବୋଲି ଆଶା ଥିବା ଗେହଲଟ୍‌ କହିଛନ୍ତି। ହତ୍ୟାକାରୀଙ୍କୁ ଫାଶୀଦଣ୍ଡ ଦେବା ପାଇଁ କହ୍ନେୟାଲାଲଙ୍କ ପରିବାର ଗେହଲ୍‌ଟଙ୍କୁ ନିବେଦନ କରିଛନ୍ତି।

Share