Categories: ଜାତୀୟ

ରାଜ୍ୟରେ ଏନ୍‌ଆଇଏ ଚଢ଼ାଉ

ନୂଆଦିଲ୍ଲୀ,୧୪ା୮(ପି.ଟି.) : ଲୋକଙ୍କ ମଧ୍ୟରେ ସାମ୍ପ୍ରଦାୟିକ ବିଭେଦ ବଢ଼ାଇ ଦେଶରେ ଅସ୍ଥିରତା ସୃଷ୍ଟି ମାଧ୍ୟମରେ ଶାନ୍ତି ଭଙ୍ଗ କରିବା ପାଇଁ ପିପୁଲ୍ସ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ) ଷଡ଼ଯନ୍ତ୍ର ଚଳାଇଥିବାବେଳେ ଏହାକୁ ଭଣ୍ଡୁର କରିବା ଲାଗି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଉଦ୍ୟମ ଜାରି ରଖିଛି। ରବିବାର ଏନ୍‌ଆଇଏ ୫ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବହୁ ଆପରାଧିକ ସାମଗ୍ରୀ ଜବତ କରିଛି। କେରଳ, ମହାରାଷ୍ଟ୍ର, କର୍ନାଟକ, ପଶ୍ଚିମବଙ୍ଗ ଏବଂ ବିହାରର ୧୪ଟି ସ୍ଥାନରେ ଏକସଙ୍ଗେ ଚଢ଼ାଉ କରାଯାଇଥିଲା। ସେଠାରୁ ଅନେକ ଡିଜିଟାଲ ଉପକରଣ ଏବଂ ଆପରାଧିକ ଦସ୍ତାବିଜ ମିଳିଥିବା ଏନ୍‌ଆଇଏ ମୁଖପାତ୍ର କହିଛନ୍ତି।

କେରଳର କନ୍ନୁର, ମାଲାପୁରମ୍‌, କର୍ନାଟକର ଦକ୍ଷିଣ କନ୍ନଡ, ମହାରାଷ୍ଟ୍ରର ନାଶିକ ଓ କୋଲ୍‌ହପୁର, ପଶ୍ଚିମବଙ୍ଗର ମୁର୍ଶିଦାବାଦ ଏବଂ ବିହାରର କଟିହାରରେ ଚଢ଼ାଉ କରାଯାଇଥିଲା। ଆତଙ୍କବାଦ, ହିଂସା ଓ ଉଦ୍ଦେଶ୍ୟପୂର୍ଣ୍ଣ ଧ୍ୱଂସ ସାଧନ ଜରିଆରେ ୨୦୧୭ ସୁଦ୍ଧା ଭାରତରେ ମୁସଲିମ୍‌ ଖଲିଫା ପ୍ରତିଷ୍ଠା ପାଇଁ ପିଏଫ୍‌ଆଇ ଓ ଏହାର ଶୀର୍ଷ ନେତାମାନେ ଏକ ସଶସ୍ତ୍ର କ୍ୟାଡର ଓ ସେନା ସୃଷ୍ଟି କରିବାକୁ ଉଦ୍ୟମ ଚଳାଇଛନ୍ତି। ପିଏଫ୍‌ଆଇ ଯୁବବର୍ଗଙ୍କୁ ଉଗ୍ରବାଦୀ କରାଇ ସେମାନଙ୍କୁ ଅସ୍ତ୍ରଚାଳନା ତାଲିମ ଦେଇ ଭାରତ ବିରୋଧୀ ହିଂସାରେ ସାମିଲ କରାଉଛି। ଗତବର୍ଷ ଏପ୍ରିଲରେ ଏନ୍‌ଆଇଏ ପିଏଫ୍‌ଆଇ ବିରୋଧରେ ମାମଲା ରୁଜୁ କରିବା ସହ ଏହାର କେତେଜଣ ଶୀର୍ଷ ନେତାଙ୍କୁ ଗିରଫ କରିଥିଲା।

 

Share