Categories: ଜାତୀୟ

୧୧ ରାଜ୍ୟରେ ଏନ୍‌ଆଇଏ ଚଢ଼ାଉ

ନୂଆଦିଲ୍ଲୀ,୨୩।୯(ପି.ଟି.): ଆତଙ୍କବାଦୀଙ୍କୁ ପାଣ୍ଠି ଓ ଅନ୍ୟାନ୍ୟ ସହାୟତା ଯୋଗାଇବା ଅଭିଯୋଗରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଗୁରୁବାର ୧୧ ରାଜ୍ୟରେ ଚଢ଼ାଉ କରିଛି। ଏହି ଚଢ଼ାଉ ବେଳେ ପପୁଲାର ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ)ର ୧୦୬ ଜଣ କର୍ମୀଙ୍କୁ ଗିରଫ କରାଯାଇଛି। ଦେଶବ୍ୟାପୀ ହୋଇଥିବା ଏହି ଚଢ଼ାଉରେ ଏନ୍‌ଆଇଏ ସହ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ ସମ୍ପୃକ୍ତ ରାଜ୍ୟ ପୋଲିସ ସାମିଲ ହୋଇଥିଲେ। ଏହା ଦେଶରେ ଅଦ୍ୟାବଧି ହୋଇଥିବା ସବୁଠୁ ବଡ଼ ଚଢ଼ାଉ ବୋଲି କୁହାଯାଉଛି। ଚଢ଼ାଉ ବେଳେ କେରଳରୁ ସର୍ବାଧିକ ୨୨ ଜଣଙ୍କୁ ଗିରଫ କରାଯାଇଥିବାବେଳେ ମହାରାଷ୍ଟ୍ର ଏବଂ କର୍ନାଟକରୁ ୨୦ ଜଣ ଲେଖାଏ, ତାମିଲନାଡୁରୁ ୧୦, ଆସାମରୁ ୯, ଉତ୍ତରପ୍ରଦେଶରୁ ୮, ଆନ୍ଧ୍ରପ୍ରଦେଶରୁ ୫, ମଧ୍ୟପ୍ରଦେଶରୁ ୪, ପୁଡ଼ୁଚେରୀ ଏବଂ ଦିଲ୍ଲୀରୁ ୩ ଜଣ ଲେଖାଏ ଏବଂ ରାଜସ୍ଥାନରୁ ୨ ଜଣ ପିଏଫ୍‌ଆଇ ସଦସ୍ୟ ଗିରଫ ହୋଇଛନ୍ତି। ମୁଖ୍ୟତଃ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବା, ତାଲିମ ଶିବିର ଆୟୋଜନ କରିବା ଏବଂ ନିର୍ଦ୍ଦିଷ୍ଟ ସଂଗଠନରେ ଯୋଗଦେବା ଲାଗି ଲୋକଙ୍କୁ କଠୋରପନ୍ଥୀ କରାଇବା କାର୍ଯ୍ୟରେ ସମ୍ପୃକ୍ତ ଲୋକଙ୍କ ଘର ଉପରେ ଚଢ଼ାଉ କରାଯାଇଥିଲା।
ଭାରତର ଅବହେଳିତ ବର୍ଗଙ୍କୁ ସଶକ୍ତୀକରଣ କରାଇବା ଲକ୍ଷ୍ୟରେ ନୂଆ ସାମାଜିକ ଆନ୍ଦୋଳନ ପାଇଁ ୨୦୦୬ରେ ପିଏଫ୍‌ଆଇ ଗଠିତ ହୋଇଥିଲା ବୋଲି ଏହି ସଂଗଠନ ପକ୍ଷରୁ ଦାବି କରାଯାଉଛି। ତେବେ ଏହି ସଂଗଠନ କଠୋରପନ୍ଥୀ ଇସ୍‌ଲାମକୁ ପ୍ରୋତ୍ସାହିତ କରୁଥିବା ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକ ଅଭିଯୋଗ କରିଆସୁଛନ୍ତି। ପିଏଫ୍‌ଆଇର ଜାତୀୟ, ଅନ୍ତର୍ଜାତୀୟ ତଥା ସ୍ଥାନୀୟ ନେତାଙ୍କ ଘରେ ଚଢ଼ାଉ କରାଯାଇଥିବା ସଂଗଠନ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।
୨୦୨୦ ଦିଲ୍ଲୀ ଦଙ୍ଗା, ନାଗରିକତ୍ୱ ସଂଶୋଧନ ଆଇନକୁ ବିରୋଧ, ୟୁପିର ହଥ୍ରାସ୍‌ରେ ଦଳିତ ମହିଳାଙ୍କୁ ଗଣବଳାତ୍କାର ଓ ହତ୍ୟା ପଛର ଷଡ଼ଯନ୍ତ୍ର ଆଦି ସହ ପିଏଫଆଇର ଆର୍ଥତ୍କ ସମ୍ପୃକ୍ତି ଦିଗ ଉପରେ ଇଡି ତଦନ୍ତ କରୁଛି। ଏହି ସଂଗଠନ ବିରୋଧରେ ଲକ୍ଷ୍ନୌର ସ୍ବତନ୍ତ୍ର ପିଏମ୍‌ଏଲ୍‌ଏ କୋର୍ଟରେ ୨ଟି ଚାର୍ଜଶିଟ୍‌ ଦାଏର ହୋଇଛି। ଗତବର୍ଷ ଫେବୃୟାରୀରେ ପିଏଫ୍‌ଆଇ ଏବଂ ଏହାର ଛାତ୍ର ସଂଗଠନ କ୍ୟାମ୍ପସ୍‌ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ସିଏଫ୍‌ଆଇ) ବିରୋଧରେ ମନିଲଣ୍ଡରିଂ ମାମଲାରେ ଇଡି ପ୍ରଥମ ଚାର୍ଜଶିଟ୍‌ ଦାଖଲ କରିଥିଲା। ସେହିପରି ୟୁଏଇର ଏକ ହୋଟେଲ ପିଏଫଆଇ ପାଇଁ ମନିଲଣ୍ଡରିଂ କାର୍ଯ୍ୟ କରୁଥିବା ଅଭିଯୋଗରେ ଦ୍ୱିତୀୟ ଚାର୍ଜଶିଟ୍‌ ଚଳିତ ବର୍ଷ ଦାଏର ହୋଇଥିଲା।

Share