Categories: ଜାତୀୟ

ଦାଉଦଙ୍କ ପାଇଁ ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କଲା ଏନ୍‌ଆଇଏ…

ନୂଆଦିଲ୍ଲୀ, ୧।୯ : ଅଣ୍ଡରୱାଲର୍‌ଡ ଡନ ଦାଉଦ ଇବ୍ରାହିମଙ୍କ ବିରୋଧରେ ଭାରତରେ କାର୍ଯ୍ୟ ତୀବ୍ର ହୋଇଛି। ପ୍ରକାଶ ଯେ, ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍‌ଆଇଏ) ଦାଉଦଙ୍କ ଉପରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି। ଏହା ବ୍ୟତୀତ ଅଣ୍ଡରୱାଲର୍‌ଡ ଡନଙ୍କ ସହଯୋଗୀମାନଙ୍କ ଉପରେ ମଧ୍ୟ ପୁରସ୍କାର ଘୋଷଣା କରାଯାଇଛି। ଡି କମ୍ପାନୀ ସହ ଜଡିତ ଅନୁସନ୍ଧାନରେ ଏନଆଇଏ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ବିଶେଷ କଥା ହେଉଛି, ଭାରତରେ ଅନେକ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଦାୟୀଥିବା ଦାଉଦ ଉପରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ୨୫ ନିୟୁତ ଡଲାରର ପୁରସ୍କାର ମଧ୍ୟ ଘୋଷଣା କରାଯାଇଛି।

ଜଣେ ଅଧିକାରୀ କହିଛନ୍ତି ଯେ ଦାଉଦଙ୍କ ଭାଇ ଅନିସ ଇବ୍ରାହିମ ଛଦ୍ମନାମ ହାଜି ଆନିସ, ଘନିଷ୍ଠ ସମ୍ପର୍କୀୟ ଜାଭେଦ ପଟେଲ ଛଦ୍ମନାମ ଜାଭେଦ ଚିକନା, ଶକିଲ ଶେଖ ଛଦ୍ମନାମ ଛୋଟା ଶକିଲ ଏବଂ ଇବ୍ରାହିମ ମୁଶ୍ଟାକ ଅବଦୁଲ ରଜାକ ମେମନ ଛଦ୍ମନାମ ଟାଇଗର ମେମୋନଙ୍କ ପାଇଁ ମଧ୍ୟ ଏନ୍‌ଆଇଏ ପୁରସ୍କାର ଘୋଷଣା କରିଛି। ଅଧିକାରୀ ଜଣକ ସୂଚନା ଦେଇଛନ୍ତି ଯେ ଦାଉଦଙ୍କ ଉପରେ ୨୫ ଲକ୍ଷ ଟଙ୍କା, ଛୋଟା ଶକିଲ ଉପରେ ୨୦ ଲକ୍ଷ ଟଙ୍କା, ଆନିସ, ଚିକନା ଏବଂ ମେମୋନଙ୍କ ଉପରେ ୧୫ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଛି।

Share