ଏନ୍‌ଏଚ୍‌ ୪୯ ଅବରୋଧ

କେନ୍ଦୁଝର,୧୦।୧୦(ସ୍ବ.ପ୍ର.): କେନ୍ଦୁଝର ସଦର ବିଧାୟକ ମୋହନ ମାଝିଙ୍କ ଗାଡ଼ି ଉପରେ ବୋମା ମାଡ଼ ପ୍ରତିବାଦରେ କେନ୍ଦୁଝରରେ ଟାୟାର ଜାଳି ଭାଜପା ପକ୍ଷରୁ ରାସ୍ତାରୋକୋ କରାଯାଇଛି। ଏନ୍‌ଏଚ୍‌ ୪୯କୁ ଅବରୋଧ କରି ଆନ୍ଦୋଳନ ଚାଲିଥିବା ବେଳେ ଏହାକୁ ନେଇ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ପୂର୍ବାହ୍ନ ୧୧ ଟାରେ ଏହି ଘଟଣା ଘଟିବା ବେଳେ ଦୁଇ ଆକ୍ରମଣକାରୀ ବୋମା ପକାଇବା ସହ ବନ୍ଧୁକ ଦେଖାଇ ମାରିବାକୁ ଉଦ୍ୟମ କରୁଥିଲେ ବୋଲି ବିଧାୟକ ଅଭିଯୋଗ କରିଛନ୍ତି। ସେ ଗନ୍ଧମାର୍ଦନ ଲୋଡିଂ ଏଜେନ୍ସିକୁ ନେଇ ଚାଲି ଥିବା ଆନ୍ଦୋଳନକୁ ସମର୍ଥନ କରୁଥିବାରୁ ତାଙ୍କ ଉପରକୁ ଏଭଳି ଆକ୍ରମଣ କରାଯାଇଥିବା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଏ ନେଇ ରାଜ୍ୟ ଯୁବ ବିଜେଡି ଉପସଭପତି ସୌମ୍ୟ ଶଙ୍କର ଚକ୍ର କହିଛନ୍ତି, ଏଭଳି ଆରୋପ ମିଥ୍ୟା ଓ ଏହାର କୌଣସି ସତ୍ୟତା ନାହିଁ। ଏଣୁ ଏହାର ତୁରନ୍ତ ତଦନ୍ତ କରି ଆକ୍ରମଣକାରୀଙ୍କୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।