ବାଲି ଲିଜ୍‌ଧାରୀଙ୍କ ନାଁରେ ଏନ୍‌ଜିଟି ମାମଲା

ବାରିପଦା ଅଫିସ,୧ା୫: ସଦର ଉପଜିଲାପାଳ ଅନନ୍ୟା ଦାସଙ୍କ ଅଭିଯୋଗ କ୍ରମେ ବଡ଼ସାହି ତହସିଲ ଅଧୀନ ପୃଥକ୍‌ ବାଲି ସୈରାତ ପାଇଁ ୨ଟି ମାମଲା ରୁଜୁ ହୋଇଛି। ଲିଜ୍‌ଧାରୀଙ୍କ ସହିତ ବଡ଼ସାହି ତହସିଲଦାର ମମତାଜ ମହାରଣାଙ୍କ ନାମରେ ୧୧୪/୨୨ ଓ ୧୧୫/୨୨ରେ ଦୁଇଟି ମାମଲା ରୁଜୁ କରାଯାଇଛି। ଏହାକୁ ନେଇ ବଡ଼ସାହି ପୋଲିସ ଲିଜ୍‌ଧାରୀ ପ୍ରଦୀପ ବିନ୍ଧାଣିଙ୍କୁ ଗିରଫ କରିଛ। ଶନିବାର ଅପରାହ୍ନଠାରୁ ଜିଲା ଛାଡ଼ି ତହସିଲଦାର ପଳାଇଥିବା ଜଣାଯାଇଛି ।

ସୂଚନାଯୋଗ୍ୟ, ବଡ଼ସାହି ତହସିଲ ଅଧୀନରେ ଥିବା ଡିଙ୍ଗିରା ଓ ଆରପଟା ବାଲି ସୈରାତକୁ ନେଇ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ କୋଲକାତା ବେଞ୍ଚ ପକ୍ଷରୁ ପୃଥକ୍‌ ମାମଲା ରୁଜୁ ହୋଇଥିଲା। ମାମଲାର ଶୁଣାଣି କରି ଲିଜ୍‌ଧାରୀଙ୍କୁ ୧୭କୋଟି ୩ଲକ୍ଷ ୧୬ହଜାର ୨୭୨ଟଙ୍କା ଜରିମାନା କରିଛନ୍ତି। ଏହା ସହ ବଡ଼ସାହି ତହସିଲଦାର ଓ ଲିଜଧାରୀଙ୍କ ନାମରେ ଆଇପିସି, ସିଆରପିସି ଓ ପବ୍ଲିକ ଅର୍ଥ ହେର୍‌ଫେର୍‌ ଆକ୍ଟ ୨୦୦୨କୁ ନେଇ ମାମଲା ରୁଜୁ କରିବାକୁ ମୟୂରଭଞ୍ଜ ଜିଲାପାଳଙ୍କୁ ବ୍ୟକ୍ତିଗତ ଆଫିଡେଭିଟ୍‌ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାକୁ ନେଇ ବାରିପଦା ସଦର ଉପଜିଲାପାଳଙ୍କ ଅଭିଯୋଗ କ୍ରମେ ପୃଥକ୍‌ ମାମଲା ରୁଜୁ କରାଯାଇଛି। ତେବେ ମାମଲାରେ ଜଡ଼ିତ ଥିବା ତହସିଲଦାରଙ୍କୁ ଗିରଫ କରାଯାଇ ନ ଥିବା ବେଳେ ଜାଣିଶୁଣି ସୁରକ୍ଷା ପ୍ରଦାନ କରାଯାଉଛି ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ଚର୍ଚ୍ଚା ଜୋର୍‌ ଧରିଛି। ପୋଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରା ନ ଗଲେ ଅଞ୍ଚଳବାସୀଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି କଡ଼ା ଚେତାବନୀ ଦେଇଛନ୍ତି।