ମଲାଲାଙ୍କୁ ହତ୍ୟା ଧମକ ଦେଲେ ତାଲିବାନ ଆତଙ୍କବାଦୀ: ଟୁଇଟର ଦ୍ୱାରା ଆକାଉଣ୍ଟ ଡିଲିଟ

ଇସ୍‌ଲାମାବାଦ,୧୮ ।୨: ନୋବେଲ ପୁରସ୍କାର ବିଜେତା ମଲାଲା ୟୁଶୁଫଜଇଙ୍କ ଉପରେ ୯ ବର୍ଷ ପୂର୍ବେ ଜୀବନରୁ ମାରିଦେବାଲାଗି ଉଦ୍ୟମ କରିଥିବା ପାକିସ୍ତାନୀ ତାଲିବାନ ଆତଙ୍କବାଦୀ ପୁଣିଥରେ ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଛନ୍ତି । ଟୁଇଟ୍ କରି ଆତଙ୍କବାଦୀମାନେ ଲେଖିଛନ୍ତି ଏଥର ଆଉ ଭୁଲ୍ ହେବନାହିଁ । ବୁଧବାର କରାଯାଇଥିବା ଏହି ଟୁଇଟ୍ ପରେ ଉକ୍ତ ଆକାଉଣ୍ଟକୁ ଟୁଇଟର ପକ୍ଷରୁ ସ୍ଥାୟୀଭାବେ ଡିଲିଟ କରି ଦିଆଯାଇଛି । ଏ ସମ୍ପର୍କରେ ମଲାଲା ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି । ଏହାସହ ସେ ପାକିସ୍ତାନ ସେନା ଓ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ପ୍ରଶ୍ନ କରିଛନ୍ତି ଯେ ଆକ୍ରମଣ କରିଥିବା ଏହସାନୁଲ୍ଲା ଏହସାନ କେମିତି ସରକାରୀ ହେପାଜତରୁ ରକ୍ଷା ପାଇଛନ୍ତି । ସୂଚନାଯୋଗ୍ୟ, ଏହସାନୁଲ୍ଲା ଏହସାନଙ୍କୁ ୨୦୧୭ରେ ଗିରଫ କରାଯାଇଥିଲା ହେଲେ ଜନୁୟାରୀ ୨୦୨୦ରେ ସେ ଏକ ସୁରକ୍ଷିତ ସ୍ଥାନରୁ ପେରାର ହୋଇ ଯାଇଥିଲେ । ଯେଉଁଠାରେ ତାଙ୍କୁ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଦ୍ୱାରା ରଖାଯାଇଥିଲା । ତାଙ୍କ ଗିରଫ ଓ ଫେରାରକୁ ନେଇ ଏବେବି ବିବାଦ ଲାଗି ରହିଛି ।

Share