ବ୍ରିଟେନ ପ୍ରଧାନମନ୍ତ୍ରୀ ରେସ୍‌: ଫାଇନାଲରେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ

ଲଣ୍ଡନ,୨୦।୭: ବ୍ରିଟିଶ ପ୍ରଧାନମନ୍ତ୍ରୀ ଦୌଡ଼ରେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ପଞ୍ଚମ ରାଉଣ୍ଡ ୧୩୭ ଭୋଟ ପାଇ ବିଜୟ ଆଡକୁ ଅଗ୍ରସର ହେଉଛନ୍ତି। ପଞ୍ଚମ ରାଉଣ୍ଡ ଭୋଟ ସହିତ ତାଙ୍କ ପ୍ରତିଦ୍ୱନ୍ଦୀ ବାଣିଜ୍ୟ ମନ୍ତ୍ରୀ ପେନି ମେର୍ଡେଣ୍ଟ ପ୍ରଧାନମନ୍ତ୍ରୀ ଦୌଡ଼ରୁ ବାଦ ପଡିଛନ୍ତି। ସେ ୧୦୫ ଭୋଟ ପାଇଥିଲେ। ବର୍ତ୍ତମାନ ସୁନକ ବହିର୍ବ୍ୟାପାର ମନ୍ତ୍ରୀ ଲିଜ ଟ୍ରସଙ୍କୁ ଭେଟିବେ। ଟ୍ରସ୍‌ ପଞ୍ଚମ ରାଉଣ୍ଡରେ ୧୧୩ ଭୋଟ ପାଇଥିଲେ।
ସମସ୍ତ ପାଞ୍ଚଟି ପର୍ଯ୍ୟାୟରେ ଋଷି ସୁନକ ସର୍ବାଧିକ ଭୋଟ ପାଇଛନ୍ତି। ଚତୁର୍ଥ ରାଉଣ୍ଡ ଭୋଟିଂରେ ସେ ୧୧୮ ଭୋଟ ପାଇଥିଲେ। ସୋମବାର ଅନୁଷ୍ଠିତ ତୃତୀୟ ରାଉଣ୍ଡ ଭୋଟିଂରେ ସେ ୧୧୫ ଭୋଟ ପାଇଥିଲେ। ଏଥି ସହିତ ଦ୍ୱିତୀୟ ରାଉଣ୍ଡରେ ୧୦୧ ଭୋଟ ଏବଂ ପ୍ରଥମ ରାଉଣ୍ଡରେ ୮୮ ଭୋଟ ତାଙ୍କୁ ମିଳିଥିଲା। ସମସ୍ତ ପର୍ଯ୍ୟାୟରେ ସୁନକ ଶୀର୍ଷରେ ରହିଛନ୍ତି।
ବର୍ତ୍ତମାନ ସୁନକ ଏବଂ ଟ୍ରସ ଟୋରୀ ସଦସ୍ୟଙ୍କ ସମର୍ଥନ ପାଇଁ ନିଜ ସପକ୍ଷରେ ପ୍ରଚାର କରିବେ। ଯିଏ ସର୍ବାଧିକ ସମର୍ଥନ ହାସଲ କରିବାରେ ସଫଳ ହେବେ ସେ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିବେ।

Share