ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ…

ଓ୍ବାଶିଂଟନ/ମସ୍କୋ/କ୍ୱିଭ୍‌, ୨୮।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ନେଇ ଅନ୍ତର୍ଜାତୀୟସ୍ତରରେ ସଙ୍କଟ ସୃଷ୍ଟି ହୋଇଛି। ଯୁଦ୍ଧରେ ବହୁ କ୍ଷତି ସହିବା ଏବଂ ରୁଷିଆର ରାଷ୍ଟ୍ରପତି ବ୍ଲାଡିିମୀର ପୁଟିନଙ୍କ ପରମାଣୁ ଆକ୍ରମଣର ଧମକ ପରେ ୟୁକ୍ରେନ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତୁତ ହୋଇଛି। ତେବେ ଏହା ଯୁଦ୍ଧକୁ ସମାପ୍ତ କରିବ ବୋଲି ବର୍ତ୍ତମାନ କହିବା କଷ୍ଟକର। ଏହି ଗୁରୁତ୍ୱପୂର୍ଣ୍ଣ ରୁଷିଆ-ୟୁକ୍ରେନ ଆଲୋଚନା ବେଲାରୁଷ ସୀମାରେ ଥିବା ଚେର୍ନୋବିଲ ଆଣବିକ କେନ୍ଦ୍ର ନିକଟରେ ଖୁବ ଶୀଘ୍ର ହେବାର ସମ୍ଭାବନା ଅଛି। ଏହାପୂର୍ବରୁ ପୁଟିନ ମଧ୍ୟ ଆଣବିକ ସେନାକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇ ୟୁକ୍ରେନ ଏବଂ ପାଶ୍ଚାତ୍ୟ ଦେଶକୁ ଧମକ ଦେଇଥିଲେ।

ରୁଷିଆର ସେନା ବର୍ତ୍ତମାନ ପର୍ଯ୍ୟନ୍ତ ୟୁକ୍ରେନର ପ୍ରାୟ ୫୦ ପ୍ରତିଶତ ଅଞ୍ଚଳରେ ପ୍ରବେଶ କରିଛନ୍ତି। ପୁଟିନ ଆଣବିକ ପ୍ରସ୍ତୁତି ଘୋଷଣା କରିବା ପରେ ତୁରନ୍ତ ୟୁକ୍ରେନ  ଆଲୋଚନା ପାଇଁ ପ୍ରସ୍ତୁତ ବୋଲି ଘୋଷଣା କରିଛି। ଏହାପୂର୍ବରୁ ବେଲାରୁଷର ନେତା ଆଲେକ୍ସଜାଣ୍ଡାର୍‌ ଲୁକାଶେଙ୍କୋ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଫୋନରେ କଥା ହୋଇଥିଲେ।

ସେ ଆଲୋଚନା ପାଇଁ ପ୍ରସ୍ତାବରେ ରାଜି ହୋଇଥିବାବେଳେ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଯେ ସେ ଏହି ବାର୍ତ୍ତାଳାପରୁ ଅଧିକ ଆଶା କରିନାହାଁନ୍ତି। ପ୍ରସ୍ତାବିତ ଆଲୋଚନା ୱାର୍ସ, ବୁଦ୍ଧାପେଷ୍ଟ, ଇସ୍ତାନବୁଲ କିମ୍ବା ବାକୁରେ ହେଉ ବୋଲି ୟୁକ୍ରେନ ଚାହୁଁଥିଲା।

ରବିବାର ୟୁକ୍ରେନ ହ୍ୟୁଗର ଅନ୍ତର୍ଜାତୀୟ କୋର୍ଟରେ ରୁଷିଆର ଆକ୍ରମଣ ବିରୋଧରେ ଏକ ମାମଲା ଦାୟର କରିଛି।

ତେବେ ଶାନ୍ତି ଆଲୋଚନା ହେବ ନା ତୃତୀୟ ବିଶ୍ୱ ଯୁଦ୍ଧ ହେବ ସେନେଇ ଆସନ୍ତା ୨୪ ଘଣ୍ଟା ବିଶେଷ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ତୃତୀୟ ବିଶ୍ୱଯୁଦ୍ଧ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ମଧ୍ୟ ସଙ୍କେତ ଦେଇ ସାରିଛନ୍ତି। ତେଣୁ ସ୍ଥିତିକୁ ଦୃଷ୍ଟିରେ ରଖି ସମାଧାନର ପଥ ଖୋଜା ଜାରି ରହିଛି।

Share