ନିଉଟନୀୟ ଓ ଆଇନଷ୍ଟାଇନୀୟ ମାଧ୍ୟାକର୍ଷଣ

ଆମେ ଟେକାଟିଏ ଫିଙ୍ଗିଲେ ତାହା ଉଚ୍ଚକୁ କିଛି ଦୂର ପର୍ଯ୍ୟନ୍ତ ଯାଇ ପୃଥିବୀ ପୃଷ୍ଠକୁ ଖସି ପଡୁଛି। ଫଳଟିଏ ପାଚିଲେ ଗଛରୁ ଛିଣ୍ଡିଯାଇ ତଳେ ପଡୁଛି। ଏହା କାହିଁକି ହେଉଛି? ପୃଥିବୀର ମାଧ୍ୟାକର୍ଷଣ ବଳ ଟେକାଟିକୁ କିମ୍ବା ଫଳଟିକୁ ନିଜ ଆଡ଼କୁ ଟାଣି ଆଣୁଥିବାରୁ ତାହା ପୃଥିବୀ ପୃଷ୍ଠରେ ପଡୁଛି। ଏହି ଘଟଣା ଅନାଦିକାଳରୁ ଦୃଷ୍ଟିଗୋଚର ହେଉଥିଲେ ସୁଦ୍ଧା ପୃଥିବୀର ଦୁଇଜଣ ବିଶିଷ୍ଟ ବୈଜ୍ଞାନିକ ଏହା ଉପରେ ଅଧ୍ୟୟନ କରି ତାହାର କାରଣ ବାହାର କରିଥିଲେ। ଏହି ଦୁଇଜଣ ହେଉଛନ୍ତି ଇଂଲଣ୍ଡର ଆଇଜାକ୍‌ ନିଉଟନ(୧୬୪୨-୧୭୨୭) ଏବଂ ଜର୍ମାନୀର ଆଲବର୍ଟ ଆଇନଷ୍ଟାଇନ(୧୮୭୯-୧୯୫୫)। ଦୁଇଜଣ ହେଉଛନ୍ତି ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ଏବଂ ଉଭୟଙ୍କର ଜୀବନକାଳର ପାର୍ଥକ୍ୟ ହେଉଛି ପ୍ରାୟ ଦୁଇଶହ ବର୍ଷ। ମାଧ୍ୟାକର୍ଷଣକୁ ଦୁଇଜଣ ପୃଥକ ଭାବରେ ବୁଝାଇଛନ୍ତି।
କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ବେଳେ ପ୍ଲେଗ୍‌ ରୋଗ ବ୍ୟାପିବା ଯୋଗୁ ବିଶ୍ୱବିଦ୍ୟାଳୟ ବନ୍ଦ ହୋଇଗଲା। ନିଉଟନ ନିଜ ଗାଁକୁ ଚାଲିଗଲେ। ସେ ନିଜ ବଗିଚାରେ ଗୋଟିଏ ସେଓ ଗଛ ମୂଳରେ ବସିଥିବା ବେଳେ ଗଛରୁ ଫଳଟିଏ ତଳେ ପଡ଼ିଲା। ତାଙ୍କ ବିଜ୍ଞାନମନସ୍କ ମନ ଚିନ୍ତା କଲା ଓ ନିଜକୁ ନିଜେ ପ୍ରଶ୍ନ କଲା, ‘ଫଳଟି ଉପରକୁ ନ ଯାଇ ତଳେ କାହିଁକି ପଡ଼ିଲା? ଯଦି ଫଳଟି ତଳେ ପଡ଼େ, ତାହାହେଲେ ଚନ୍ଦ୍ର ମଧ୍ୟ କ’ଣ ଖସି ପଡ଼ିବ?’
ଏହା ଥିଲା ୧୬୬୬ ମସିହାର ଘଟଣା। ବିଶ୍ୱବିଦ୍ୟାଳୟ ଖୋଲିବା ପରେ ନିଉଟନ କେମ୍ବ୍ରିଜ ଗଲେ। କିନ୍ତୁ ଫଳ ପଡ଼ିବା ଉପରେ ସେ ଚିନ୍ତାରେ ନିମଗ୍ନ ରହୁଥିଲେ। ସେତେବେଳକୁ କୋପରନିକସଙ୍କ ସୌରକେନ୍ଦ୍ରୀୟ ମତ ଗ୍ରହଣୀୟ ହୋଇଗଲାଣି ଏବଂ ଜର୍ମାନୀ ଜ୍ୟୋତିର୍ବିତ୍‌ ଜୋହାନସ କେପଲର(୧୫୭୧-୧୬୩୦)ଙ୍କର ତିନୋଟି ଗ୍ରହ ଘୂର୍ଣ୍ଣନ ନିୟମ ପ୍ରକାଶ ପାଇଲାଣି। ଏହାର ପ୍ରଥମ ନିୟମ ହେଉଛି ଯେ ଗ୍ରହଗୁଡ଼ିକ ସୂର୍ଯ୍ୟ ଚାରିପଟେ ଇଲିପଟିକାଲ(ଅଣ୍ଡାକାର) କକ୍ଷରେ ପରିକ୍ରମଣ କରୁଛନ୍ତି। କେପଲର ନିଜ ପର୍ଯ୍ୟବେକ୍ଷଣ ତଥ୍ୟ ଆଧାରରେ ତିନୋଟି ଯାକ ନିୟମ ଆବିଷ୍କାର କରିଥିଲେ ଏବଂ ତାହାର କାରଣ ଜାଣି ପାରି ନ ଥିଲେ। ନିଉଟନ ଏହାର କାରଣ ଆବିଷ୍କାର କଲେ। ସେ ପ୍ରକାଶ କଲେ ଯେ, ଗଛରୁ ଫଳଟିଏ ତଳେ ପଡ଼ିବା କିମ୍ବା ସୂର୍ଯ୍ୟ ଚାରିପଟେ ଗ୍ରହର ଘୂର୍ଣ୍ଣନ ଗୋଟିଏ ନିୟମରେ ବନ୍ଧା। ତାହା ହେଉଛି ମାଧ୍ୟାକର୍ଷଣ ନିୟମ। ସେ ଏହାକୁ ୧୬୮୭ ମସିହାରେ ତାଙ୍କ ପୁସ୍ତକ ‘ପ୍ରିନ୍‌ସିପିଆ’ରେ ପ୍ରଥମେ ପ୍ରକାଶ କରିଥିଲେ। ନିୟମଟି ହେଉଛି, ବିଶ୍ୱରେ ପ୍ରତ୍ୟେକ ବସ୍ତୁ ଅନ୍ୟ ପ୍ରତ୍ୟେକ ବସ୍ତୁକୁ ଆକର୍ଷଣ କରେ। ଆକର୍ଷଣ ବଳ ବସ୍ତୁ ଦୁଇଟିର ବସ୍ତୁତ୍ୱର ଗୁଣଫଳ ସଙ୍ଗେ ସମାନୁପାତି ଏବଂ ସେମାନଙ୍କ ମଧ୍ୟରେ ଥିବା ଦୂରତାର ବର୍ଗ ସହ ପ୍ରତିଲୋମାନୁପାତି।
ଏହି ନିୟମରୁ ସ୍ପଷ୍ଟ ଯେ ବସ୍ତୁର ବସ୍ତୁତ୍ୱ ବଢ଼ିଲେ ମାଧ୍ୟାକର୍ଷଣ ବଳ ବଢ଼ିବ ଏବଂ ବସ୍ତୁ ଦୁଇଟି ମଧ୍ୟରେ ଦୂରତା ବଢ଼ିଲେ ମାଧ୍ୟାକର୍ଷଣ ବଳ କମିବ। କିନ୍ତୁ ଲକ୍ଷ୍ୟ କର ଯେ ଦୂରତା ଦୁଇଗୁଣ ବଢ଼ିଲେ ବଳ ଚାରିଗୁଣ କମିବ ଏବଂ ଦୂରତା ତିନିଗୁଣ ବଢ଼ିଲେ ବଳ ନଅ ଗୁଣ କମିବ। ଏହାକୁ ‘ପ୍ରତିଲୋମ ବର୍ଗ ନିୟମ’ କୁହାଯାଏ।
୧୬୮୨ ମସିହାରେ ଲଣ୍ଡନ ଆକାଶରେ ଗୋଟିଏ ଧୂମକେତୁ ଦେଖାଦେଇଥିଲା। ରାଜାରାଣୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକମାନେ ଆଶ୍ଚର୍ଯ୍ୟରେ ପ୍ରଶ୍ନ କରିଥିଲେ-ଏହା କେଉଁଠାରୁ ଆସିଛି? ଏହା କୁଆଡେ ଯାଉଛି? ନିଉଟନ ତାଙ୍କ ନିୟମ ଆଧାରରେ ପୂର୍ବାନୁମାନ କରିଥିଲେ ଯେ ଧୂମକେତୁଗୁଡିକ ନିୟମିତ ବ୍ୟବଧାନରେ ଆକାଶରେ ଦେଖାଦିଏ। ତାଙ୍କ ବନ୍ଧୁ ଅନ୍ୟତମ ଜ୍ୟୋତିର୍ବିଦ ଏଡମଣ୍ଡ ହ୍ୟାଲେ (୧୬୫୬-୧୭୪୨) ୧୬୮୨ ମସିହାରେ ଦେଖା ଦେଇଥିବା ଧୂମକେତୁର କକ୍ଷ ଗଣନା କରି ପ୍ରକାଶ କଲେ ଯେ ଏହି ଧୂମକେତୁ ପୁଣି ୧୭୫୮ ଖ୍ରୀଷ୍ଟମାସ ଦିନ ଆକାଶରେ ଦେଖାଦେବ। ତାଙ୍କ ବକ୍ତବ୍ୟକୁ ସତ୍ୟ ପ୍ରମାଣ କରି ତାହାହିଁ ହେଲା। କିନ୍ତୁ ସେତେବେଳକୁ ହ୍ୟାଲେ ଓ ନିଉଟନ ଇହଧାମ ତ୍ୟାଗ କରିସାରିଥିଲେ। ଏହି ଧୂମକେତୁର ନାମ ଦିଆଯାଉଛି ‘ହ୍ୟାଲେ ଧୂମକେତୁ’ ଏହା ଏହା ହ୍ୟାଲେଙ୍କ ଗଣନାନୁସାରେ ପ୍ରତି ୫୬ ବର୍ଷରେ ପୃଥିବୀରେ ଦେଖାଦେଉଛି।
ପ୍ରାୟ ଦୁଇ ଶହ ବର୍ଷ ପର୍ଯ୍ୟନ୍ତ ନିଉଟନଙ୍କ ମାଧ୍ୟାକର୍ଷଣ ନିୟମ ନିର୍ବିବାଦରେ ଗ୍ରହଣୀୟ ହେଲା। ଏହାକୁ ‘ନିଉଟନୀୟ ବିଜ୍ଞାନ’ କୁହାଯାଏ। ମାତ୍ର ଏହା ପରେ ଆଇନଷ୍ଟାଇନ ମାଧ୍ୟାକର୍ଷଣର ପରିଭାଷା ବଦଳାଇଦେଲେ। ସେ ସୁଇଜରଲାଣ୍ଡର ଜୁରିକ୍‌ ପଲିଟେକନିକ୍‌ରୁ ସ୍ନାତକ ଡିଗ୍ରୀ ଲାଭ କରି ଭଲ ଚାକିରି ନ ପାଇ ଶେଷରେ ବର୍ନଠାରେ ଗୋଟିଏ ପେଟେଣ୍ଟ ଅଫିସରେ କିରାଣି ଚାକିରି କଲେ। ଏହା ତାଙ୍କୁ ବରଦାନ ସଦୃଶ ହେଲା। ସେ ସେଠାରେ ତାଙ୍କ ପ୍ରିୟ ପଦାର୍ଥ ବିଜ୍ଞାନ ଆଲୋଚନା କରିବା ପାଇଁ ଯଥେଷ୍ଟ ସମୟ ପାଇଲେ। ସେ ୧୯୦୫ ମସିହାରେ ଗୋଟିଏ ବର୍ଷରେ ବିଶେଷ ଆପେକ୍ଷିକ ତତ୍ତ୍ୱ ସମେତ ଚାରିଟି ବିପ୍ଳବାମତ୍କ ଗବେଷଣା ପ୍ରବନ୍ଧ ପ୍ରକାଶ କରି ବିଜ୍ଞାନ ଜଗତରେ ଆଲୋଡନ ସୃଷ୍ଟି କରିଥିଲେ। ସେ ଏହା ପରେ ବର୍ଲିନ ବିଶ୍ୱବିଦ୍ୟାଳୟରେ ପ୍ରଫେସରେ ପଦରେ ଯୋଗ ଦେଇଥିଲେ ଏବଂ ସେଠାରେ ୧୯୧୫ ମସିହାରେ ସାଧାରଣ ଆପେକ୍ଷିକ ତତ୍ତ୍ୱ ପ୍ରକାଶ କରିଥିଲେ। ସେଥିରେ ମାଧ୍ୟାକର୍ଷଣ ତତ୍ତ୍ୱ ରହିଛି। ସେ ମାଧ୍ୟାକର୍ଷଣକୁ ‘ବଳ’ ବଦଳରେ ‘ସ୍ଥାନ-କାଳ ବକ୍ରତା’ ଭାବେ ବର୍ଣ୍ଣନା କଲେ। ସେ ପ୍ରକାଶ କଲେ ଯେ ଶୂନ୍ୟରେ ଓଜନିଆ ବସ୍ତୁଟିଏ ରହିଲେ ଏହା ଚାରିପଟର ଜାଗା ଢାଲୁ ହୋଇଯାଏ। ଏଣୁ ସେହି ଅଞ୍ଚଳରେ ରହିଥିବା ଅଳ୍ପ ଓଜନର ବସ୍ତୁଟି ତାହା ଆଡକୁ ଆକର୍ଷିତ ହୋଇଥାଏ। ଉଦାହରଣ ସ୍ବରୂପ, ଗୋଟିଏ ସୂତାଜାଲକୁ ଦୁଇଟି ଗଛର ଡାଳରେ ବାନ୍ଧି ଏହା ମଝିରେ ଗୋଟିଏ ଲୁହା ପେଣ୍ଡୁ ରଖିଲେ ତାହା ତଳକୁ ଟାଣି ହୋଇଯାଏ। ଏହାପରେ ସେହି ଜାଲରେ ଗୋଟିଏ ଅଳ୍ପ ଓଜନର ବସ୍ତୁ ରଖିଲେ ଏହା ତାହା ଆଡକୁ ଗଡିଯାଏ।
ନିଉଟନଙ୍କ ଅନୁସାରେ ସୂର୍ଯ୍ୟ ଓ ଅନ୍ୟାନ୍ୟ କ୍ଷେତ୍ର ଭଳି ଓଜନିଆ ବସ୍ତୁପିଣ୍ଡ ସେମାନଙ୍କ ଚାରିପାଖ ଜାଗାରେ ଗୋଟିଏ କ୍ଷେତ୍ରୀୟ ବଳ ସୃଷ୍ଟି କରନ୍ତି ଯାହା ଯୋଗୁ ଗ୍ରହଗୁଡିକ ସରଳରେଖାରେ ନ ଯାଇ ବକ୍ରପଥରେ ଏହା ଚାରିପଟେ ଘୂରିଥାଆନ୍ତି। କିନ୍ତୁ ଆଇନଷ୍ଟାଇନ ବଳକୁ ଗ୍ରହଣ ନ କରି ବର୍ଣ୍ଣନା କଲେ ଯେ, ସୂର୍ଯ୍ୟ ପରି ଓଜନିଆ ବସ୍ତୁ ଯୋଗୁ ଏହା ଚାରିପଟ ସ୍ଥାନ-କାଳ ବକ୍ର ହୋଇ ଯାଉଥିବାରୁ ଗ୍ରହଗୁଡିକୁ ଉପବୃତ୍ତାକାର କକ୍ଷରେ ଘୂରୁଛନ୍ତି। ସୂଚନାଯୋଗ୍ୟ ଯେ, ପୃଥିବୀର ସମସ୍ତ ବସ୍ତୁ ତିନି ପରିସର (ଦୈର୍ଘ୍ୟ, ପ୍ରସ୍ଥ ଓ ଉଚ୍ଚତା)ରେ ଅଛି।
କିନ୍ତୁ ଆଇନଷ୍ଟାଇନ ଏହା ସହିତ ସମୟକୁ ଏକ ପରିସର ଭାବେ ନେଇ ସ୍ଥାନ କାଳ ପରିସରରେ ତାଙ୍କ ତତ୍ତ୍ୱକୁ ବୁଝାଇଛନ୍ତି।
ଊନବିଂଶ ଶତାବ୍ଦୀର ଶେଷ ସୁଦ୍ଧା ଜଣାଗଲା ଯେ, ବୁଧ ଗ୍ରହରେ କକ୍ଷପଥକୁ ସମ୍ପୂର୍ଣ୍ଣ ଭାବେ ବୁଝାଇବା ପାଇଁ ନିଉଟନଙ୍କ ମାଧ୍ୟାକର୍ଷଣ ନିୟମ ସମର୍ଥ ହେଉନାହିଁ। କେହି କେହି ମତ ଦେଲେ ଯେ, ସୂର୍ଯ୍ୟ ଅତି ନିକଟରେ ବୋଧହୁଏ ଅନ୍ୟ ଏକ ଅନାବିଷ୍କୃତ ଗ୍ରହ ଅଛି, ଯାହା ଯୋଗୁ ଏପରି ହେଉଛି। ସେମାନେ ସେହି କଳ୍ପିତ ଗ୍ରହର ଗୋଟିଏ ନାମ ମଧ୍ୟ ଦେଲେ। ତାହା ହେଉଛି ‘ଭଲ୍‌କାନ’। (କ୍ରମଶଃ)

ଇଂ. ମାୟାଧର ସ୍ବାଇଁ

-୭୦, ଲକ୍ଷ୍ମୀବିହାର, ଫେଜ୍‌-୧,
ଭୁବନେଶ୍ୱର
ମୋ : ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ପିଲା ଓ ମଧୁମେହ

ଜୀବନଶୈଳୀ ପରିବର୍ତ୍ତନ ସହ ଅନ୍ୟ କେତେକ କାରଣରୁ ବର୍ତ୍ତମାନ ଅଧିକାଂଶଙ୍କ ଠାରେ ମଧୁମେହ ବା ଡାଇବେଟିସ୍‌ ସମସ୍ୟା ଦେଖିବାକୁ ମିଳୁଛି; ଯେଉଁଥିରୁ ବାଦ୍‌ ପଡ଼ୁନାହାନ୍ତି ଛୋଟପିଲା।...

କଫଜନିତ ସମସ୍ୟା ନେଇ ଚିନ୍ତିତ କି ?

ଯଦି ହଁ, ତେବେ ଏହାର କେତେକ ଘରୋଇ ଉପଚାର ରହିଛି। ଅଧା ଚାମଚ ପିଆଜ ରସରେ ଏକ ଚାମଚ ମହୁ ମିଶାଇ ପିଇଲେ ଏହି ସମସ୍ୟ...

ପାପୁଲିର ଏହି ସ୍ଥାନରେ ଅଛିକି କ୍ରସ ଚିହ୍ନ… ଖୁବ୍‌ କମ ବୟସରୁ ପଡ଼ିବେ ପ୍ରେମରେ

ହସ୍ତରେଖା ଶାସ୍ତ୍ର ଅନୁଯାୟୀ, ଜଣେ ବ୍ୟକ୍ତିଙ୍କ ହାତରେ ଏପରି ଅନେକ ରେଖା ଅଛି, ଯାହା ଭବିଷ୍ୟତ, ବର୍ତ୍ତମାନ ଏବଂ ସହିତ ଜଡିତ ଅନେକ କଥା କହିଥାଏ।...

ଉପକାରୀ ମୁଗଡାଲି ପାଣି, ଦୂର ହୋଇଥାଏ ଅନେକ ରୋଗ

ମୁଗଡାଲି ଖାଇବାକୁ ଯେତିକି ସ୍ବାଦିଷ୍ଟ ଏହାର ପାଣି ସ୍ବାସ୍ଥ୍ୟ ପକ୍ଷେ ସେତିକି ଉପକାରୀ ମଧ୍ୟ। ଏହି ଡାଲିରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍‌ ଭରି ରହିଛି। ଏହା...

କେବେହେଲେ ଏହି ୩ ସମ୍ପର୍କ ଉପରେ କରନ୍ତୁ ନାହିଁ ବିଶ୍ୱାସ: ହରଡଘଣାରେ ପଡ଼ିବେ…

ଆଚାର୍ଯ୍ୟ ଚାଣକ୍ୟଙ୍କୁ ଚତୁର ଏବଂ ବିଭିନ୍ନ ବିଷୟରେ ପ୍ରଗାଢ଼ ଜ୍ଞାନ ରଖିଥିବା ବ୍ୟକ୍ତିବିଶେଷ ଭାବେ ଗଣାଯାଏ। ସେ ନିଜ ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ...

ଇନ୍‌ଫେକ୍‌ଶନର କାରଣ ହୋଇପାରେ ଟୁଥ୍‌ବ୍ରଶ

ଇନ୍‌ଫେକ୍‌ଶନର କାରଣ ହୋଇ ପାରେ ଟୁଥ୍‌ବ୍ରଶ-ଏପରି ସତର୍କ ସୂଚନା ଦେଇଛନ୍ତି କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ମେଡିସିନ ବିଶେଷଜ୍ଞମାନେ। ସେମାନେ ଏକ ସର୍ଭେରୁ ଜାଣିପାରିଛନ୍ତି ଯେ ନିର୍ଦ୍ଦିଷ୍ଟ ସମୟ...

ନିୟମିତ କରୁଛନ୍ତି କି ଏଭଳି ଭୁଲ…

ସାଧାରଣତଃ ମହିଳାମାନେ ନିଜର ତ୍ୱଚାକୁ ନେଇ ଯତ୍ନବାନ ଥାନ୍ତି। ସୁନ୍ଦର ତ୍ୱଚା ପାଇବା ଲାଗି ସେମାନେ ବିଭିନ୍ନ ପ୍ରକାର ରସାୟନିକ ପଦାର୍ଥର ବ୍ୟବହାର କରିବାକୁ ପଛାଇ...

କୋଲେଷ୍ଟରଲକୁ ନିୟନ୍ତ୍ରଣରେ ରଖେ ଅଖରୋଟ

ଅଖରୋଟ ଆମ ଶରୀର ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏଥିରେ ଏଭଳି ତତ୍ତ୍ୱ ରହିଛି, ଯାହା କୋଲେଷ୍ଟରଲକୁ ଅନେକାଂଶରେ ନିୟନ୍ତ୍ରଣରେ ରଖିଥାଏ ବୋଲି ସଦ୍ୟତମ ଗବେଷଣାରୁ...

Advertisement
Archives

Model This Week