ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ ସହଯୋଗୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟା ଷଡ଼ଯନ୍ତ୍ର ପଛରେ ମହିଳାଙ୍କ ପରକୀୟା ପ୍ରୀତି ରହିଥିବା କୁହାଯାଉଛି। ପୋଲିସ ତନ୍ନୁ ନାମ୍ନୀ ଉକ୍ତ ମହିଳାଙ୍କ ସମେତ ହରିଓମ୍ ନାମକ ବ୍ୟକ୍ତିଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୨ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ସେମାନଙ୍କ ମଧ୍ୟରେ ମହିଳାଙ୍କ ପ୍ରେମିକ ସୋନୁ ଓ ତାଙ୍କ ସହଯୋଗୀ ଅମନ ରହିଛନ୍ତି।
ପୋଲିସ କହିବା ଅନୁଯାୟୀ, ଜରଧାଲ ଗ୍ରାମର ମୋନୁ ଗତ ମାସ ୮ ତାରିଖ ରାତିରେ ଔଷଧ କିଣିବା ପାଇଁ ଯାଇ ଫେରି ନ ଥିଲେ। ବାପା ରାତନ ଲାଲ୍ଙ୍କ ଅଭିଯୋଗ ଆଧାରରେ ୯ ତାରିଖରେ କସୋଲା ଥାନାରେ ନିଖୋଜ ମାମଲା ରୁଜୁ ହୋଇଥିଲା। ୧୦ ତାରିଖରେ ମୋନୁଙ୍କ ମୃତଦେହ ଅସଲଓ୍ବାସ କେନାଲରୁ ମିଳିଥିବା ବେଳେ ତାଙ୍କ ସ୍କୁଟର କେନାଲ କୂଳରେ ପଡ଼ିରହିଥିଲା। ମୋନୁଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ସନ୍ଦେହ କରିଥିଲେ। ତଦନ୍ତରୁ ଜଣାପଡ଼ିଥିଲା ଯେ ମୋନୁ କିଛିଦିନ ପୂର୍ବରୁ ବିବାହ କରିଥିଲେ। ତେବେ ତାଙ୍କ ସ୍ତ୍ରୀ ତନ୍ନୁଙ୍କର ସୋନୁ ନାମକ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିବାରୁ ସେ ବିବାହକୁ ନେଇ ଖୁସି ନ ଥିଲେ। ତେଣୁ ମୋନୁଙ୍କୁ ହତ୍ୟା କରିବା ପାଇଁ ସେମାନେ ଷଡ଼ଯନ୍ତ୍ର ପ୍ରସ୍ତୁତ କରିଥିଲେ ବୋଲି ବଓ୍ବାଲ ଡିଏସ୍ପି ସୁରେନ୍ଦ୍ର ଶେଓରନ୍ କହିଛନ୍ତି। ତଦନୁଯାୟୀ ତନ୍ନୁ ଜୁନ୍ ୮ ତାରିଖ ରାତିରେ ମୋନୁଙ୍କୁ କସୋଲି ଗ୍ରାମକୁ ଡାକିଥିଲେ। ସୋନୁ ସେଠାକୁ ହରିଓମ୍ ଏବଂ ଅମନ ନାମକ ୨ ସହଯୋଗୀଙ୍କୁ ପଠାଇଥିଲେ। ମୋନୁ ସେଠାରେ ପହଞ୍ଚତ୍ବା ପରେ ସେମାନେ ତାଙ୍କୁ ଧରିନେଇ ତାଙ୍କ ପାଟି ଓ ନାକକୁ ବନ୍ଦ କରିଦେଇଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା କିମ୍ବା ସେ ସମ୍ପୂର୍ଣ୍ଣ ଅଚେନ ହୋଇଯାଇଥିଲେ। ଅଭିଯୁକ୍ତମାନେ ତାଙ୍କୁ ପାଖ କେନାଲରେ ଫିଙ୍ଗିଦେଇଥିଲେ। ତେବେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନ ଥିବାବେଳେ ଫୋରେନ୍ସିକ ରିପୋର୍ଟକୁ ଅପେକ୍ଷା କରାଯାଇଥିବା ଡିଏସ୍ପି କହିଛନ୍ତି।