Categories: ଜାତୀୟ

ପ୍ରେମ ବିବାହକୁ ବିରୋଧ କଲେ ପରିବାର ଲୋକେ, ଭିଡିଓ ଜାରି କରି ସୁରକ୍ଷା ମାଗିଲେ ଯୁବତୀ

ପାଟଣା,୬ା୫: ବିହାରର ଗୋପାଳଗଞ୍ଜରେ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ଏଠାକାର ଏକ ପ୍ରେମୀଯୁଗଳ ପରିବାର ଲୋକଙ୍କ ଅନିଚ୍ଛା ସତ୍ତ୍ୱେ ବିବାହ କରିଥିଲେ। ଏବେ ନବଦମ୍ପତି ପରିବାର ଲୋକେ ତାଙ୍କୁ ମିଥ୍ୟା କେସ୍‌ରେ ଫସାଇବା ପାଇଁ ଚେଷ୍ଟା କରୁଥିବା ଅଭିଯୋଗ ଆଣିଛନ୍ତି। ପ୍ରେମୀଯୁଗଳଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ପ୍ରେମୀଯୁଗଳ ଘରୁ ପଳାଇଯାଇ ବିବାହ କରିଥିଲେ। ବିବାହ ପରେ ଯୁବତୀ ଜଣକ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି ପୋଲିସକୁ ନିଜର ସୁରକ୍ଷା ମାଗିଛନ୍ତି।

ପ୍ରେମିକାଙ୍କ ନାମ ଗୁଡ୍ଡି କୁମାରୀ। ସେ ନଓ୍ବକା ଟୋଲା ନିବାସୀ ଶ୍ରୀଶର୍ମା ରାମଙ୍କ ଝିଅ। ଗୁଡ୍ଡି ଭିଡିଓରେ କହିଛନ୍ତି, ସେ ନିଜ ଇଚ୍ଛାରେ ୩ ମାସ ତଳେ କୋର୍ଟରେ ବିବାହ କରିଥିଲେ। ରକଓ୍ବା ନିବାସୀ ରାମାଶିଷଙ୍କ ପୁଅ କରଣ କୁମାରଙ୍କ ସହ ଘରୁ ନିଜ ଇଚ୍ଛାରେ ପଳାଇ ଆସିଥିଲେ। ଆମେ ଦୁହେଁ ୩ ବର୍ଷ ଧରି ରିଲେସନଶିପ୍‌ରେ ଥିଲୁ। ଘର ଲୋକ ବିରୋଧ କରିବାରୁ ସେ କରଣଙ୍କ ସହ ଆସିବାକୁ ବାଧ୍ୟ ହୋଇଥିଲେ। ତାଙ୍କୁ ଏବେ ୧୮ ବର୍ଷ ଏବଂ କରଣଙ୍କୁ ୨୧ ବର୍ଷ। ତେଣୁ ଆମ ଇଚ୍ଛାରେ ଆମେ ବିବାହ ନିଷ୍ପତ୍ତି ନେଇଛୁ। ପରିବାର ଲୋକେ ଆମ ନାଁରେ ମିଥ୍ୟା ଅଭିଯୋଗ ଆଣୁଛନ୍ତି। ତେଣୁ ଆମକୁ ସୁରକ୍ଷା ଦରକାର।

ପୋଲିସ କହିଛି, ଯୁବତୀ ଜଣକ ଥାନାକୁ ଆସି ଏ ସମ୍ପର୍କରେ ନିଜେ ସୂଚନା ଦେଇଛନ୍ତି। ତେଣୁ ତାଙ୍କୁ ସୁରକ୍ଷା ପ୍ରଦାନ କରାଯିବ।

Share