ଭେଡେନ,୪।୧୧(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ବ୍ଲକ ସଂକ୍ରିଡ଼ା ପଞ୍ଚାୟତ ଅନ୍ତର୍ଗତ ଝରାପାଲି ଗ୍ରାମର ଶେଷ ମୁଣ୍ଡରେ ଥିବା ଏକ ଖତଗଦାରୁ ମଙ୍ଗଳବାର ଭୋରରେ ନବଜାତ ଶିଶୁପୁତ୍ର ଉଦ୍ଧାର ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁଯାୟୀ, ଖତଗଦାରୁ ଶିଶୁପୁତ୍ର କାନ୍ଦୁଥିବାର ସ୍ବର ସ୍ଥାନୀୟ ଲୋକେ ଶୁଣିବାକୁ ପାଇଥିଲେ। ଖବର ପାଇ ଗ୍ରାମବାସୀ ସେଠାକୁ ପହଞ୍ଚି ଶିଶୁପୁତ୍ରକୁ ଉଦ୍ଧାର କରିଥିଲେ। ଗ୍ରାମର ନିଃସନ୍ତାନ ଦମ୍ପତ୍ତି ତାଙ୍କ ପିଲାଛୁଆ ନ ଥିବାରୁ ଉଦ୍ଧାର ହୋଇଥିବା ଶିଶୁକୁ ନିଜ ପାଖରେ ରଖିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ଏବଂ ନିଜ ଖର୍ଚ୍ଚରେ ଅଙ୍ଗନବାଡ଼ି ଓ ଆଶାଙ୍କ ସହାୟତାରେ ଏକ ବେସରକାରୀ ହସ୍ପିଟାଲରେ ଚିକିତ୍ସା କରାଇଥିଲେ।
ଘଟଣାଟି ପ୍ରଘଟ ହେବା ପରେ ସମନ୍ବିତ ଶିଶୁ ବିକାଶ ସମିତି ଏବଂ ଭେଡେନ ଥାନା କର୍ମଚାରୀ ଘଟଣାସ୍ଥଳକୁ ପହଞ୍ଚି ଥିଲେ। ହେଲେ ଶିଶୁକୁ ରଖିଥିବା ଦମ୍ପତ୍ତି ଉଦ୍ଧାର ଶିଶୁକୁ ନିଜେ ରଖିବା ଜିଦରେ ରହିଥିଲେ। ଗ୍ରାମବାସୀ ମଧ୍ୟ ଶିଶୁକୁ ଉକ୍ତ ଦମ୍ପତିକୁ ଦିଆଯାଉ ବୋଲି କହିଥିଲେ। ଆଇନ ଅନୁସାରେ ଶିଶୁକୁ କିଭଳି ରଖି ପାରିବେ, ସେ ନେଇ ବୁଝାସୁଝା କରାଯାଇଥିଲା। ୬ଟାରେ ଶିଶୁ ମଙ୍ଗଳ ବିଭାଗ କର୍ମଚାରୀ ଶିଶୁକୁ ହସ୍ପିଟାଲକୁ ନେଇଥିଲେ। ସିଡିପିଓ ଲକ୍ଷ୍ମୀପ୍ରିୟା ମିଶ୍ର, ସୁପରଭାଇଜର ଜ୍ୟୋତି ହିଆଲ, ପଙ୍କଜିନୀ ବିଶ୍ବାଳ, ଡିସିପିୟୁ କର୍ମଚାରୀ ବବିତା ରାଉତ ସମେତ ପୋଲିସ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।