ନ୍ୟୁଜିଲାଣ୍ଡ ପାଇଁ ବଢିଲା ଅଡ଼ୁଆ: ଭାରତ ବିପକ୍ଷ ଦିନିକିଆ ସିରିଜ୍‌ରୁ ବାଦ୍‌ ପଡ଼ିଲେ ଏହି ଷ୍ଟାର ବ୍ୟାଟର୍‌

ଅକଲାଣ୍ଡ,୬।୧୧: ଭାରତ ବିପକ୍ଷ ଚଳିତ ଦିନିକିଆ ସିରିଜ୍‌ରୁ ବାଦ ପଡ଼ିଛନ୍ତି ନ୍ୟୁଜିଲାଣ୍ଡର ଷ୍ଟାର ବ୍ୟାଟର ଡେଭନ କନୱେ। ଅଭ୍ୟାସ ସମୟରେ ଦ୍ରୁତ ବୋଲର ମ୍ୟାଟ ହେନରୀଙ୍କ ସହ ଧକ୍କା ହେବାରୁ ସେ ଆହତ ହୋଇଥିଲେ। ଏହି କାରଣରୁ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ମଧ୍ୟ ସେ ଖେଳିପାରି ନଥିଲେ। ଏବେ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ପକ୍ଷରୁ ତାଙ୍କୁ ପୂରା ସିରିଜ୍‌ରୁ ବାଦ ଦିଆଯାଇଥିବା ନେଇ ଅଧିକାରିକ ସୂଚନା ମିଳିଛି।

କନୱେଙ୍କ ସ୍ଥାନରେ ବାମହାତୀ ବ୍ୟାଟର ନିକ କେଲିଙ୍କୁ ଦଳରେ ସାମିଲ କରାଯାଇଛି। ଅନ୍ୟପଟେ ମ୍ୟାଟ ହେନରୀଙ୍କୁ ସମ୍ପୂର୍ଣ୍ଣ ଫିଟ ଘୋଷଣା କରାଯାଇଛି। ନିକ କେଲି ନ୍ୟୁଜିଲାଣ୍ଡ ଏ ଦଳ ଛାଡ଼ି ସିନିୟର ଟିମ୍‌ରେ ଯୋଗ ଦେଇଛନ୍ତି। ଇଣ୍ଡିଆ ଏ ବିପକ୍ଷ ତୃତୀୟ ଅନଅଫିସିଆଲ ଟେଷ୍ଟରେ ତାଙ୍କ ସ୍ଥାନରେ ଡେଲ ଫିଲିପ୍ସ ଖେଳିବେ।

ନ୍ୟୁଜିଲାଣ୍ଡ ପାଇଁ ଏହା ଏକ ବଡ଼ ଝଟକା। କାରଣ ଏହା ପୂର୍ବରୁ ଆହତ ସମସ୍ୟା ଯୋଗୁ ରାଚିନ ରବୀନ୍ଦ୍ର ଓ ମାର୍କ ଚାପମ୍ୟାନ ମଧ୍ୟ ସିରିଜ୍‌ରୁ ବାଦ ପଡ଼ିସାରିଛନ୍ତି। ଫଳରେ ଦଳର ବ୍ୟାଟିଂ ଶକ୍ତି ଦୁର୍ବଳ ହୋଇଛି। ଉଲ୍ଲେଖଯୋଗ୍ୟ, ଅକଲାଣ୍ଡରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ନ୍ୟୁଜିଲାଣ୍ଡ ଦଳ ମାତ୍ର ୧୮୫ ରନ୍‌ରେ ଅଲଆଉଟ ହୋଇଥିଲା। ୩୩ ବର୍ଷୀୟ ନିକ କେଲି ଏଯାଏ ନ୍ୟୁଜିଲାଣ୍ଡ ପାଇଁ ୮ଟି ODI ଖେଳି ୩ଟି ଅର୍ଦ୍ଧଶତକ ସହ ୨୬୫ ରନ କରିଛନ୍ତି। ସେହିପରି ୭ଟି T20 ମ୍ୟାଚ୍‌ରେ ମଧ୍ୟ ଦେଶର ପ୍ରତିନିଧିତ୍ୱ କରିଛନ୍ତି।

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ ନଭେମ୍ବର ୭ ତାରିଖରେ ୱେଲିଂଟନ୍‌ର ହେନରୀ ଷ୍ଟାଡିୟମରେ ଖେଳାଯିବ। ଭାରତୀୟ ସମୟ ଅନୁସାରେ ସକାଳ ୭ଟା ୩୦ ମ୍ୟାଚ୍‌ରେ ମ୍ୟାଚ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ରେ ବର୍ଷା ବାଧା ସୃଷ୍ଟି କରିଥିଲେ ମଧ୍ୟ ଭାରତ ୫ ଉଇକେଟରେ ବିଜୟୀ ହୋଇଥିଲା। ଏହି ମ୍ୟାଚ୍‌ରେ ବିରାଟ କୋହଲି ୭୪ ରନ୍‌ର ଉଲ୍ଲେଖନୀୟ ଇନିଂସ ଖେଳିଥିଲେ।

 

Dharitri – Odisha’s No.1 Odia Daily

 

Share