Categories: ଖେଳ

ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଦଳକୁ ଧମକ

ଲଣ୍ଡନ,୨୧।୯: ଇଂଲଣ୍ଡ ଗସ୍ତରେ ଯାଇଥିବା ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଦଳ ଉପରେ ଆତଙ୍କବାଦୀ ଆକ୍ରମଣର ଆଶଙ୍କା ରହିଛି। କିଓ୍ବି ଦଳକୁ ବୋମା ଧମକ ମିଳିଛି। ଏହା ସତ୍ତ୍ୱେ ଆଜି ଲିସେଷ୍ଟରରେ ଅନୁଷ୍ଠିତ ହେବାକୁ ଥିବା ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଦିନିକିଆ କାର୍ଯ୍ୟସୂଚୀ ଏବଂ ସମୟ ଅନୁଯାୟୀ ଖେଳାଯିବ। ଗୁପ୍ତଚର ସଂସ୍ଥାଗୁଡ଼ିକର ଅନୁସନ୍ଧାନ ପରେ ନ୍ୟୁଜିଲାଣ୍ଡ କ୍ରିକେଟ ଏହି ବିପଦକୁ ବିଶ୍ୱାସଯୋଗ୍ୟ ବୋଲି ବିବେଚନା କରି ନାହିଁ। ତଥାପି, ନ୍ୟୁଜିଲାଣ୍ଡ ମହିଳା ଦଳର ସୁରକ୍ଷାକୁ ବୃଦ୍ଧି କରାଯାଇଛି। ଏହାପୂର୍ବରୁ ନ୍ୟୁଜିଲାଣ୍ଡର ପୁରୁଷ କ୍ରିକେଟ ଦଳ ସୁରକ୍ଷା କାରଣରୁ ଦର୍ଶାଇ ପାକିସ୍ତାନ ଗସ୍ତକୁ ହଠାତ୍‌ ବାତିଲ କରିଦେଇଥିଲେ।
ସୂଚନାଯୋଗ୍ୟ, ନ୍ୟୁଜିଲାଣ୍ଡର ଟିମ ମ୍ୟାନେଜମେଣ୍ଟର ଜଣେ ସଦସ୍ୟଙ୍କୁ ଦଳର ହୋଟେଲରେ ବୋମା ରଖାଯିବ ବୋଲି ଧମକ ଦିଆଯାଇଥିଲା। କେବଳ ଏତିକି ନୁହେଁ, ନ୍ୟୁଜିଲାଣ୍ଡକୁ ଫେରୁଥିବାବେଳେ ଏହି ଦଳକୁ ବିମାନରେ ବୋମା ଲଗାଇବା ବିଷୟରେ ମଧ୍ୟ ଚେତାବନୀ ଦିଆଯାଇଥିଲା। ଫଳସ୍ବରୂପ, ସୋମବାରଠାରୁ ନ୍ୟୁଜିଲାଣ୍ଡ ମହିଳା ଦଳ ହୋଟେଲ ଭିତରେ ରଖଶଯାଇଥିଲା। ଏହା ପରେ ଆତଙ୍କବାଦ ମୁକାବିଲା ସହ ଜଡିତ ପୋଲିସ ଏବଂ ଏଜେନ୍ସିଗୁଡ଼ିକୁ ଡକାଯାଇଥିଲା। କିଛି ଘଣ୍ଟା ପାଇଁ ଏହା ଆଲୋଚନା ହେଉଥିଲା ଯେ ତୃତୀୟ ଦିନିକିଆ ବାତିଲ ହେବ। କାରଣ ନ୍ୟୁଜିଲାଣ୍ଡ ଦଳ ଅଭ୍ୟାସ ମଧ୍ୟ କରି ନ ଥିଲା। ନ୍ୟୁଜିଲାଣ୍ଡ କ୍ରିକେଟ ମୁଖପାତ୍ର କହିଛନ୍ତି ଯେ, ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ ନ୍ୟୁଜିଲାଣ୍ଡ କ୍ରିକେଟ ଦଳ ସମ୍ପର୍କରେ ଏକ ମିଥ୍ୟା ଇ-ମେଲ ପାଇଛି। ଅବଶ୍ୟ, ଏହି ଇ-ମେଲ ବିଶେଷ ଭାବରେ ନ୍ୟୁଜିଲାଣ୍ଡ ଦଳକୁ ଦର୍ଶାଇ ନ ଥିଲା। ତଥାପି ଏହାକୁ ଗମ୍ଭୀରତାର ସହ ନିଆଯାଇଥିଲା ଏବଂ ଯାଞ୍ଚ କରାଯାଇଥିଲା ଏବଂ ଅବିଶ୍ୱାସନୀୟ ବୋଲି ବିବେଚନା କରାଯାଇଥିଲା। ତୃତୀୟ ଦିନିକିଆ ପାଇଁ ନ୍ୟୁଜିଲାଣ୍ଡର ଦଳ ଲିସେଷ୍ଟରରେ ପହଞ୍ଚିଛି। ସତର୍କତାମୂଳକ ପଦକ୍ଷେପ ଭାବରେ ଟିମ ହୋଟେଲ ଚାରିପାଖରେ ସୁରକ୍ଷା ବୃଦ୍ଧି କରାଯାଇଛି। ତେବେ କିଛି ଖେଳାଳି ତଥାପି ଭୟଭୀତ ଅଛନ୍ତି।

Share