ନ୍ୟୁଜିଲାଣ୍ଡ ହେବ ଡାର୍କ ସ୍କାଏ ନେଶନ

ଓ୍ବେଲିଂଟନ୍‌,୫ା୧୧: ଅନ୍ଧାର ଆକାଶ ରାତ୍ରିଚର ଓ ବିଦେଶାଗତ ପକ୍ଷୀଙ୍କ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ। ରାତିରେ କୃତ୍ରିମ ଆଲୋକ ଯୋଗୁ କୀଟମାନଙ୍କ ଗତିବିଧି ହ୍ରାସ ପାଉଥିବାରୁ ଡାର୍କ ସ୍କାଏ ସେମାନଙ୍କ ପାଇଁ ଏକ ଜରୁରୀ ଆବଶ୍ୟକତା। ଏହି ଆବଶ୍ୟକତା ପୂରଣ ସକାଶେ ନ୍ୟୁଜିଲାଣ୍ଡ ଏକ ଡାର୍କ ସ୍କାଏ ନେଶନ ବା ଅନ୍ଧାର ଆକାଶ ରାଷ୍ଟ୍ର ହେବାକୁ ଲକ୍ଷ୍ୟ ରଖିଛି। ଏହି ଦ୍ୱୀପରାଷ୍ଟ୍ରର ଅଧିକାଂଶ ଅଞ୍ଚଳ ଆଲୋକ ପ୍ରଦୂଷଣ ଦ୍ୱାରା ପ୍ରଭାବିତ। କିନ୍ତୁ ସରକାର ଏହାକୁ ହ୍ରାସ କରି ଆକାଶର ମୌଳିକ ଦୃଶ୍ୟକୁ ବଜାୟ ରଖିବା ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି।
୮୦ ଭାଗ ଅଞ୍ଚଳ ଆଲୋକ ପ୍ରଦୂଷଣ ଦ୍ୱାରା ପ୍ରଭାବିତ ହୋଇଥିବାରୁ ରାତିରେ ଆକାଶର ଶୋଭା ନଷ୍ଟ ହୋଇଥାଏ। ତେଣୁ ନ୍ୟୁଜିଲାଣ୍ଡ ପକ୍ଷେ ଡାର୍କ ସ୍କାଏ ନେଶନ ଲକ୍ଷ୍ୟ ହାସଲ କଠିନ ବ୍ୟାପାର। ବିଶ୍ୱର ଏକମାତ୍ର ଡାର୍କ ସ୍କାଏ ନେଶନ ରୂପେ ସ୍ବୀକୃତିପ୍ରାପ୍ତ ରାଷ୍ଟ୍ର ହେଉଛି ନିଉଏ, ଯାହାକି ପ୍ରଶାନ୍ତ ମହାସାଗରର ଦକ୍ଷିଣ ଭାଗରେ ଅବସ୍ଥିତ। ଉକ୍ତ ଦ୍ୱୀପରାଷ୍ଟ୍ରକୁ ଇଣ୍ଟରନ୍ୟାଶନାଲ ଡାର୍କ-ସ୍କାଏ ଆସୋସିଏଶନ୍‌ (ଆଇଡିଏସ୍‌ଏ) ପକ୍ଷରୁ ୨୦୨୦ରେ ଏହି ମାନ୍ୟତା ପ୍ରଦାନ କରାଯାଇଥିଲା। ବିଶ୍ୱରେ ବର୍ତ୍ତମାନ ୧୧୫ଟି ଡାର୍କ ସ୍କାଏ ପାର୍କ ଥିବାବେଳେ ଏଭଳି ୨୦ ରିଜର୍ଭ ଓ ୧୬ ଡାର୍କ ସ୍କାଏ ସାଙ୍କଚୁଆରି ରହିଛି। ନ୍ୟୁଜିଲାଣ୍ଡର ମାଓରି ଅଧିବାସୀମାନେ ଡାର୍କ ସ୍କାଏ ସଂରକ୍ଷଣର ପରିବେଶଗତ ଓ ସାଂସ୍କୃତିକ ମହତ୍ତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଉଦ୍ୟମ ଚଳାଇଛନ୍ତି। ଏହି ସମ୍ପ୍ରଦାୟର ଲୋକେ ଚାରା ରୋପଣ, ଫସଲ ଅମଳ, ମାଛ ଧରିବା ଓ ଶିକାର କରିବା ପାଇଁ ଚନ୍ଦ୍ର ପଞ୍ଜିକା ଦେଖି ସର୍ବୋତ୍ତମ ସମୟ ବାହାର କରିଥାଆନ୍ତି।

Share