ନୂଆଦିଲ୍ଲୀ,୨୪।୧୧: ଦ୍ୱିତୀୟ ଟେଷ୍ଟ ମ୍ୟାଚ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡକୁ ଏକ ବଡ଼ ଝଟକା ଲାଗିଛି, କାରଣ ଦ୍ରୁତ ବୋଲର ବ୍ଲେୟାର ଟିକନର ଏହି ମ୍ୟାଚରୁ ବାଦ ପଡ଼ିଛନ୍ତି। ଟିକନର ପ୍ରଥମ ଟେଷ୍ଟ ମ୍ୟାଚ ମଧ୍ୟ ଖେଳି ନଥିଲେ। ମଙ୍ଗଳବାର ଜାରି କରାଯାଇଥିବା ଏକ ବିବୃତ୍ତିରେ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ ଜଣାଇଛି ଯେ, ଏହି ସପ୍ତାହରେ ୱେଲିଂଟନରେ ଅନୁଷ୍ଠିତ ଏକ ପ୍ରଶିକ୍ଷଣ ଅଧିବେଶନ ସମୟରେ ଟିକନରଙ୍କ ହ୍ୟାମଷ୍ଟ୍ରିଂ (ଜଙ୍ଘର ପଛ ଭାଗ)ରେ ଆଘାତ ଲାଗିଛି। ଏହି କାରଣରୁ ସେ ନଭେମ୍ବର ୨୭ରୁ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ ପାଇଁ ଉପଲବ୍ଧ ହେବେ ନାହିଁ।
ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ କ୍ରାଇଷ୍ଟଚର୍ଚ୍ଚର ହାଗଲି ଓଭାଲରେ ନଭେମ୍ବର ୨୭ରୁ ଆରମ୍ଭ ହେବ। ଟିକନରଙ୍କ ସ୍ଥାନରେ ମ୍ୟାଟ ଫିଶରଙ୍କୁ କିୱି ଦଳରେ ସାମିଲ କରାଯାଇଛି। ବର୍ତ୍ତମାନ ସୁଦ୍ଧା, ଟିକନର ନ୍ୟୁଜିଲ୍ୟାଣ୍ଡ ପାଇଁ ୬ଟି ଟେଷ୍ଟ ମ୍ୟାଚ ଖେଳି ୨୨ଟି ୱିକେଟ ନେଇଛନ୍ତି। ଦ୍ୱିତୀୟ ଟେଷ୍ଟ ପାଇଁ ଚୂଡ଼ାନ୍ତ ଏକାଦଶରେ ସେ ଜାକବ ଡଫିଙ୍କ ସ୍ଥାନ ନେଇପାରିଥାନ୍ତେ; କାରଣ ପ୍ରଥମ ଇନିଂସରେ ଡଫି ୩୩ ଓଭର ବୋଲିଂ କରି ୨୦୧ ରନ ଦେଇଥିଲେ।